ବାଲେଶ୍ବର: ରାଜନୀତି କାହା ପାଇଁ କଳଙ୍କ ତ କାହାପାଇଁ ଜନସେବାର ମାଧ୍ୟମ । କୁହାଯାଏ ରାଜନୀତିରେ ସବୁ ସମ୍ଭବ । ରାଜନୀତିରେ ଲୋକଙ୍କ ପାଇଁ କାମ କରିବାର ରହିଛି ପ୍ରଚୁର ସମ୍ଭାର । ହେଲେ ବର୍ତ୍ତମାନର ଘୋଡାବେପାର ରାଜନୀତି ସହ ଦୁର୍ନୀତି, ଅତ୍ୟାଚାର, ମିଛ ପ୍ରତିଶୃତିକୁ ନେଇ ରାଜନୀତି କଳଙ୍କିତ ହେବାରେ ଲାଗିଛି । ଫଳରେ ଦେଶରେ ରାଜନୀତିକୁ ନେଇ ଭିନ୍ନ ଏକ ବିଚାର ସୃଷ୍ଟି ହେଉଛି ।
ହେଲେ ବର୍ତ୍ତମାନ ରାଜ୍ୟ ପଞ୍ଚାୟତ ନିର୍ବାଚନରେ ଏମିତି କିଛି ଦୃଶ୍ୟ ରାଜନୀତିର ପରିଭାଷା ପରିବର୍ତ୍ତନ ସହ ନୂଆ ଅଧ୍ୟାୟ ଧାରା ପାଇଁ ସମ୍ଭାବନା ସୃଷ୍ଟି ହୋଇଛି । କାରଣ ଗଣତନ୍ତ୍ରର ସବୁଠାରୁ ବଡ ସ୍ତମ୍ଭ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ଏକାଧିକ ଉଚ୍ଚଶିକ୍ଷିତ ମେଧାବୀ ଓ ବୃତ୍ତିଧାରୀ ଯୁବକ ଯୁବତୀ ଆସୁଛନ୍ତି । ଆଉ ରାଜନୀତିକୁ ନେଇ ସୃଷ୍ଟି ହେଉଥିବା ନକରାତ୍ମକ ଧାରଣା ବଦଳାଇବା ପାଇଁ ଆଗକୁ ବଢୁଛନ୍ତି ।
ଏହି ପରିପ୍ରେକ୍ଷିରେ ବାଲେଶ୍ବର ଜିଲ୍ଲାରୁ 4 ଜଣ ମେଧାବୀ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଏବେ ପଞ୍ଚାୟତ ନିର୍ବାଚନରେ ଲଢିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ଗାଁ, ପଞ୍ଚାୟତ, ସମାଜ ପାଇଁ କିଛି କରିବାର ଲକ୍ଷ୍ୟ ରଖି ନିଜ ଉଜ୍ଜଳ ଭବିଷ୍ୟତକୁ ପଛରେ ପକାଇ ଏହି ଯୁବନେତା ମାନେ ରାଜନୈତିକ ମୈଦାନକୁ ଲମ୍ଫ ମାରିଛନ୍ତି । ଉଚ୍ଚଶିକ୍ଷା ସହ ବଡ ଚାକିରି ମୋହରେ ନପଡି ସମାଜରୁ ଦୁର୍ନୀତି ହଟାଇବା ଲକ୍ଷ୍ୟ ରଖିଛନ୍ତି।
ବାଲେଶ୍ବର ଜିଲ୍ଲାର ଏମିତି ଜଣେ ଯୁବ ଉଚ୍ଚଶିକ୍ଷିତ ନେତା ହେଉଛନ୍ତି ରାଜେଶ ମହାକୁଡ । ରାଜେଶ ପେଶାରେ ଜଣେ ଡିଗ୍ରୀଧାରୀ ଇଂଞ୍ଜିନିୟର । ଭଲ ଚାକିରୀ ମଧ୍ୟ କରୁଥିଲେ । ହେଲେ ଗାଁ, ସମାଜ ପାଇଁ କିଛି କରିବା ନିଶାରେ ଏବେ ସେ ରାଜନୀତିକୁ ଆସିଛନ୍ତି । ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ରାଜେଶ 5 ନଂ ଜୋନରୁ ନାମାଙ୍କନ ଦାଖଲ କରିଛନ୍ତି ।