Manipur Violence: ବାଲେଶ୍ବରରେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ଧିକ୍କାର ସମାବେଶ ବାଲେଶ୍ବର: ଜିଲ୍ଲାରେ ଦେଖିବାକୁ ମିଳିଛି ମଣିପୁର ତାତି । ଜିଲ୍ଲାରେ ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିରୋଧୀମାନେ ଧିକ୍କାର ସମାବେଶ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ପୂର୍ବରୁ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଏକତ୍ରିତ ହକି INDIA ଗଠନ କରିଥିଲେ । ନାରୀଙ୍କ ସୁରକ୍ଷା ଲାଗି ବିଜେପି ଓ ବିଜେଡି ବିରୋଧରେ ଏହି ରାଲି ବାହାରିଥିବା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ ।
ଶତାଧିକ ମହିଳାଙ୍କୁ ନେଇ ବାଲେଶ୍ବରରେ ଧିକ୍କାର ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ମଣିପୁର ଘଟଣାଟି ସଂଘୀୟ ବ୍ୟବସ୍ଥାକୁ ଯେଭଳି ଭାବେ ବିଜେପି ଖଣ୍ଡ ବିଖଣ୍ଡିତ କରୁଛି ଏବଂ ଓଡ଼ିଶାର ବିଜେଡି ଯେଭଳି ଭାବେ ବିଜେପି ସହିତ ପୁରା ସମର୍ପିତ ହୋଇଯାଇଛି ତାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଏହାର ଜ୍ବଳନ୍ତ ଉଦାହରଣ ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମଧୁର ମିଳନରୁ ଜଣାପଡୁ଼ଛି ବୋଲି ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ- କେନ୍ଦ୍ରରେ ଆରମ୍ଭ ହେଲାଣି ଏନ୍ଡିଏ ବନାମ ଇଣ୍ଡିଆ ଫାଇଟ୍, ଓଡ଼ିଶାରେ କଣ ପଡ଼ିବ ପ୍ରଭାବ ?
ଓଡ଼ିଶାବାସୀଙ୍କୁ ଉଭୟ ବିଜେପି ଏବଂ ବିଜେଡି ଭକୁଆ ବନାଇ ସେମାନଙ୍କ ରାଜନୈତିକ ଫାଇଦା ନେବାକୁ ଜୋରଦାର ଚେଷ୍ଟା ଜାରି ରଖୁଥିବା ଅଭିଯୋଗ ହୋଇଛି । ବିଜେଡି ଓ ବିଜେପିର ପ୍ରକୃତ ମୁଖାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ହିଁ ଏଥର ଇଣ୍ଡିଆର ମୂଳ ଲକ୍ଷ୍ୟ ରହିବ ବୋଲି ମତ ପ୍ରକାଶ ପାଇଥିଲା । ଏ ନେଇ କଂଗ୍ରେସର ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ ଏହି ସମାବେଶରେ ଯୋଗଦେଇ କହିଛନ୍ତି, "କେନ୍ଦ୍ର ସରକାର ଏଯାଏଁ କାହିଁକି ମଣିପୁର ଘଟଣାକୁ ନେଇ ଚୁପ ରହିଛନ୍ତି ଏବଂ କେନ୍ଦ୍ର ସରକାର ନାରୀଙ୍କ ପ୍ରତି ଅପମାନକୁ କେମିତି ରାଜ୍ୟ ସରକାର ଚୁପଚାପ ସମର୍ଥନ କରୁଛନ୍ତି ତାହା ହିଁ ଆଶ୍ଚର୍ଯ୍ୟର ବିଷୟ ।"
ସେ ଆହୁରି କହିଛନ୍ତି, "ବିଜେଡି ଏବଂ ବିଜେପି ଏକ ସୂତ୍ରରେ ବନ୍ଧା ହୋଇଥିବା ନାରୀମାନଙ୍କୁ ସମ୍ମାନ ଦେବା କଥା କେବଳ ସ୍ଲୋଗାନରେ ରହିଛି । ଏହାକୁ ନେଇ ଇଣ୍ଡିଆ ପକ୍ଷରୁ ଆଗାମୀ ଦିନରେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ସଚେତନ କରାଯିବା । ମଣିପୁର ଘଟଣା ସାରା ବିଶ୍ବରେ ଆମ ମୁଣ୍ଡକୁ ତଳକୁ କରିଛି । ଏଭଳି ଘଟଣା ଭାରତବର୍ଷରେ ଘଟିବା ନିଶ୍ଚିତ ଚିନ୍ତାଜନକ ବିଷୟ ।" ଏହି ସମାବେଶରେ ସିପିଏମ୍ରୁ ଶିଶିର ହୁଈ, ବିଜୟ ପାତ୍ର, ପ୍ରେମ ରଞ୍ଜନ ପାତ୍ର, ଶ୍ୟାମ ସୁନ୍ଦର ଜେନା, ଜିଲ୍ଲା ମହିଳା ସଭାପତି ପ୍ରଜ୍ଞା ପରମିତା ବିଶ୍ବାଳ, ଯୁବ ସଭାପତି ରଞ୍ଜନ ଦାଶ ପ୍ରମୁଖ ସାମିଲ ହୋଇଥିଲେ ।
ଇଟିଭି ଭାରତ, ବାଲେଶ୍ବର