ଭୁବନେଶ୍ବର:ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଉଥିବାଗଣମାଧ୍ୟମ ପ୍ରତି ଯେଉଁଭଳି ଭାବରେ ଆଚରଣ କରାଯାଉଛି ତାହା ନିଶ୍ଚୟ ଏକ ଚିନ୍ତାଜନକ ବିଷୟ । ବାଲେଶ୍ବରର ନୀଳଗିରିରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ସାମ୍ବାଦିକଙ୍କ ଗୋଡ଼ରେ ଯେଉଁଭଳି ଭାବରେ ପୋଲିସ ବେଡ଼ି ବାନ୍ଧିଥିଲା, ତାହା ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନ ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି । ୧୫ ଦିନ ମଧ୍ୟରେ ଏହି ମାମଲାରେ ରିପୋର୍ଟ ଦେବାକୁ ପୂର୍ବାଞ୍ଚଳ IGଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC(Odisha Human Rights Commission) ।
କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଗିରଫ କରିଥିଲା ନୀଳଗିରି ପୋଲିସ । ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା । ସେଠାରେ ତାଙ୍କ ଗୋଡ଼ରେ ପୋଲିସ ଶିକୁଳି ପକାଇଥିବା ଦେଖିବାକୁ ମିଳିଥିଲା । ବାଲେଶ୍ୱର ହସ୍ପିଟାଲରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ପାଦରେ ଶିକୁଳି ପକାଇ ରଖିବା ସାମ୍ବାଦିକଙ୍କ ପ୍ରତି ପୋଲିସର ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।