ବାଲେଶ୍ବର:ପୁଣି ଅଡୁଆରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ନିଜ ବିବାଦୀୟ ମନ୍ତବ୍ୟ ପାଇଁ ବହୁବାର ବିବାଦ ଘେରକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ପୁଣି ଥରେ ଅଡୁଆ ସୂତାରେ ଛନ୍ଦି ହୋଇଛନ୍ତି । ଏଥର ୟୁପିଏସସି ଅଫିସରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଅଡୁଆରେ ପଡିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ମନ୍ତ୍ରୀ ବିଶେଶ୍ବର ଟୁଡୁ । ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ୟୁପିଏସସିରୁ ଆସିଥିବା ସମସ୍ତ ଲୋକ ଡକାୟତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ପୂର୍ବରୁ ମଧ୍ୟ ଏହିପରି ବିବାଦୀୟ ବୟାନ ପାଇଁ ଅଡୁଆରେ ପଡି ସାରିଛନ୍ତି ।
ସୂଚନାଅନୁସାରେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ନିଜ ଅଭିଭାଷଣରେ ସେ ୟୁପିଏସସି ଅଫିସରଙ୍କୁ ଭିନ୍ନ ଆଳରେ ଆକ୍ଷେପ କରିଥିଲେ । ସେ କହିଥିଲେ, ''ୟୁପିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀମାନେ ଜଣେ ଜଣେ ଡକାୟତ । ମୁଁ ଦିଲ୍ଲୀରେ ଯେଉଁଠି ରହୁଛି ତାହା ପଛ ପାଖରେ ୟୁପିଏସସି ରହିଛି । ସର୍ବଭାରତୀୟ ସ୍ତରରେ ୟୁପିଏସସି ଅଧୀନରେ ବଡ ବଡ ଚାକିରି ମିଳିଥାଏ । ମୁଁ ଯିବା ଆସିବା ସମୟରେ ସେହି ୟୁପିଏସସିକୁ ଦେଖିଛି । ଆଗରୁ ମୋ ମନରେ ଭାବନା ଥିବା ୟୁପିଏସସି ଜରିଆରେ ଯେଉଁମାନେ ନିଯୁକ୍ତି ପାଆନ୍ତି ତାଙ୍କଠୁ ଉପରେ ଓ ତାଙ୍କଠୁ ଜ୍ଞାନୀ ମଧ୍ୟ ଦେଶରେ ଆଉ କିଏ ନାହାନ୍ତି । କିନ୍ତୁ ଏବେ ମୁଁ ଅନୁଭବ କରୁଛି ସେହି ଠାରୁ ଆସିଥିବା ଲୋକଙ୍କଠୁ ଡକାୟତ ବୋଧ ହୁଏ ଏ ପୃଥିବୀରେ ଆଉ କେହି ନାହାନ୍ତି ।''
ୟୁପିଏସସି ଅଫିସରଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଆହୁରି କହିଛନ୍ତି, ଏଇଟା ସ୍ବୀକାର କରିବାକୁ ପଡିବ ଯେ ଆଜିର ସମୟରେ ବଡ ଲୋକଙ୍କୁ ଉତ୍ତର ନାହିଁ । ବଡ ଲୋକ ଭୁଲ କଲେ ଦଣ୍ଡ ନାହିଁ । ସାମାନ୍ୟ କୁକୁଡା ଚୋରି ଯଦି କେହି କଲା ତାଙ୍କୁ ଦଣ୍ଡ ମିଳୁଛି । କିନ୍ତୁ ଯିଏ ପାହାଡ ଲୁଟିବ ତାଙ୍କୁ ଦଣ୍ଡ ନାହିଁ । ତାର କାରଣ ସେମାନେ ସେଇ ପ୍ରକାର ଛତ୍ର ଛାୟା ତଳେ ରହୁଛନ୍ତି ।''