ବାଲେଶ୍ବର:ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନାମରେ 90 ପ୍ରତିଶତ ପଥବିକ୍ରେତାଙ୍କୁ ରାସ୍ତାରୁ ହଟାଇଲା ପ୍ରଶାସନ । ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲା ବାଲେଶ୍ଵର ପଥବିକ୍ରେତା ସଂଘର ପୌରାଞ୍ଚଳର କମିଟି । ପଥବିକ୍ରେତାଙ୍କ ଉପରେ ପ୍ରଶାସନ ଅତ୍ୟାଚାର କରୁଥିବା ସାମ୍ବିକ ସମ୍ମିଳୀନରେ ଅଭିଯୋଗ କଲେ ସଂଘର ସଦସ୍ୟ ।
ବାଲେଶ୍ୱର ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସହରର ବିଭିନ୍ନ ରାସ୍ତା କଡ଼ରେ ଥିବା ଶହଶହ ପଥବିକ୍ରେତାଙ୍କୁ ରାସ୍ତା ପାର୍ଶ୍ଵରୁ ବେଆଇନ୍ ଭାବେ ଉଚ୍ଛେଦ କରାଯାଇଥିବା ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିବା ପଥ ବିକ୍ରେତାଙ୍କୁ ଥଇଥାନ ନକରି ସେହି ସ୍ଥାନରେ ବଡ଼ ବାବୁମାନଙ୍କର କାର ପାର୍କିଂ କରାଯାଉଛି । ଯାହା ଟ୍ରାଫିକ ସମସ୍ୟାର ବଡ଼ କାରଣ ହୋଇଥିବା ବେଳେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଇ ଗରିବ ଲୋକଙ୍କ ପେଟରେ ଲାତ ମାରୁଥିବା ଅଭିଯୋଗ ହୋଇଛି ।
ଗତ ୨୦୧୮ ମସିହାରେ ଯେଉଁ ପଥ ବିକ୍ରେତାଙ୍କୁ ରାସ୍ତା ପାର୍ଶ୍ଵରୁ ଉଚ୍ଛେଦ କରାଗଲା ସେମାନଙ୍କ ମଧ୍ୟରୁ ମାତ୍ର ୧୧ ଜଣ ଫୁଲ ଚାରା ପଥବିକ୍ରେତାଙ୍କୁ ପୋଲିସ୍ ଲାଇନ୍ରେ ଥଇଥାନ କରାଯାଇଥିଲା । ମାତ୍ର ଅନ୍ୟ ପଥ ବିକ୍ରେତାଙ୍କୁ ଥଇଥାନ କରାଗଲା ନାହିଁ । ପଥ ବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ ଆଇନ୍–୨୦୧୪ ଆନୁସାରେ ପଥ ବିକ୍ରେତାଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନକୁ ଅଧିକାର ଦିଆଯାଇନାହିଁ । ସେହିପରି ଟାଉନ୍ ଭେଣ୍ଡିଂ କମିଟିର ବିନା ନିଷ୍ପତ୍ତିରେ କାହାକୁ ଉଚ୍ଛେଦ କରିପାରିବେ ନାହିଁ ବୋଲି ବ୍ୟବସ୍ଥା ଥିବାବେଳେ ଏଠାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପଥ ବିକ୍ରେତାଙ୍କ ସାମଗ୍ରୀ ଛଡ଼ାଇନେବା ଓ ବେଆଇନ୍ ଭାବେ ଫାଇନ୍ ଆଦାୟ ଭଳି ଅଭିଯୋଗ ଉଠିଛି ।