ବାଲେଶ୍ବର: ସୁଦୁର ଚେନ୍ନାଇରୁ ଆସିଛି ଓଡ଼ିଆ ଯୁବକଙ୍କ ମୃତ୍ୟୁ ଖବର । ଯାହାଫଳରେ ଅଧାରେ ଅଟଯାଇଛି ଗୃହ ପ୍ରବେଶ ସହିତ ସାଦ ଖିଆ । ଏହି ଖବର ପାଇବା ପରେ ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ତେବେ ଜଳେଶ୍ୱର ଥାନା ଖୁଲୁଡା ଗ୍ରାମର ଲମ୍ବୋଦର ଜେନା(35)। ଯିଏକି 14 ବର୍ଷରୁ ସୁଦୁର ଚେନ୍ନାଇରେ ଥିବା L&T କମ୍ପାନୀରେ କାମ କରିଆସୁଥିଲେ। ଗତକାଲି କମ୍ପାନୀରୁ କାମ ସାରି ରୁମକୁ ଫେରୁଥିବା ସମୟରେ ସଡକ ଦୁର୍ଘଟଣା ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ପାଠ ପଢା ବୟସରେ ଅର୍ଥ ଅଭାବରୁ ମେଟ୍ରିକ ପରୀକ୍ଷା ପରେ କାମ ଧନ୍ଦା ଖୋଜି ଚେନ୍ନାଇ ଯାଇଥିଲେ ଲମ୍ବୋଦର। ପରେ ସେଠାରେ L&T କମ୍ପାନୀରେ କାମ କରିବା ସହିତ ଆଇ.ଟି.ଆଇ କରି କମ୍ପାନୀର ସୁପର ଭାଇଜର ଭାବେ କାମ କରୁଥିଲେ। ଗତ ଦୁଇ ବର୍ଷ ତଳେ ତାଙ୍କର ବିବାହ ମଧ୍ୟ ହୋଇଥିଲା।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର ବର୍ତ୍ତମାନ ମୃତ ଲମ୍ବୋଦରର ସ୍ତ୍ରୀ ସାତ ମାସର ଗର୍ଭବତୀ ଥିବାରୁ ଚଳିତ ମାସ ୧୩ ତାରିଖରେ ଶ୍ୱଶୁର ଘରେ ଛାଡ଼ି ଦେଇ ଯାଇଥିଲେ। ଆସନ୍ତା ୫ ତାରିଖରେ ନୂତନ ଗୃହ ପ୍ରବେଶ ସହିତ ସାଦଖିଆ କାର୍ଯ୍ୟକ୍ରମ ଥିଲା।
ଏନେଇ ଆସନ୍ତା ୩ ତାରିଖରେ ଘରକୁ ଆସିଥାନ୍ତେ ଲମ୍ବୋଦର । ତେବେ ଘରକୁ ସେ ଆସିବା ପରିବର୍ତ୍ତେ ତାଙ୍କ ମୃତଦେହ ଘରକୁ ଆସୁଛି। ମୃତ ଖବର ପାଇବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ