ବାଲେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜନୀତି । ଅନ୍ୟପଟେ ବିଭିନ୍ନ ପଞ୍ଚାୟତର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହୋଇନଥିବାରୁ ଏଥର ଭୋଟ ବର୍ଜନ କରିବାର ମଧ୍ୟ ଚେତାବନୀ ଦିଆଯାଉଛି । ସେମିତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ସୁଙ୍ଗୁଡ଼ା ପତିପୋଖରୀ ଆଦିବାସୀ ସାହିର ବାସିନ୍ଦା ମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ରାସ୍ତା ନାହିଁ ତ ଭୋଟ ନାହିଁ, ଚେତାବନୀ ଦେଲେ ଗ୍ରାମବାସୀ - ରାସ୍ତା ନହେଲେ ଭୋଟ ବର୍ଜନ କଲେ ଗ୍ରାମବାସୀ
ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବାଟି ପଞ୍ଚାୟତର ସୁଙ୍ଗୁଡ଼ା ପତିପୋଖରୀ ଆଦିବାସୀ ସାହିର ବାସିନ୍ଦା ମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ
ସୂଚନା ଅନୁସାରେ, ଏହି ଆଦିବାସୀ ସାହିରେ ୨୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ହେଲେ ଏହି ଗାଁକୁ ଯିବାଆସିବା ପାଇଁ ରାସ୍ତାଟିଏ ନାହିଁ । ଫଳରେ ଗ୍ରାମବାସୀ ମାନେ ବିଲ ହିଡରେ ଯାତାୟତ କରୁଛନ୍ତି । ଏହି ହିଡ ରାସ୍ତାଟି ୧ କିଲୋମିଟରରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ବର୍ଷା ଦିନରେ ଯାତାୟତ ଠପ ହୋଇଥାଏ । ଗାଁର କେହି ରୋଗରେ ପଡ଼ିଲେ ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ ଫଳରେ ରୋଗୀଙ୍କୁ ଖଟିଆରେ ବୋହି ମେଡିକାଲ ନିଆଯାଇଥାଏ । ଏହି ସମସ୍ୟା ବିଷୟରେ ବାରମ୍ବାର ସ୍ଥାନୀୟ ନେତା ଓ ପ୍ରଶାସନ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଏହାର କିଛି ସୁଫଳ ମିଳିନାହିଁ । ନିର୍ବାଚନ ଆସିଲେ ନେତାମାନେ ଗାଁକୁ ଆସି ରାସ୍ତା କରିବାକୁ ପ୍ରତିଶୃତି ଦେଇ ପୁଣି ଯେଉଁ କଥାକୁ ସେହିକଥା ହେଉଥିବାରୁ ଗ୍ରାମବାସୀ ମାନେ ଗାଁରେ ଏକ ବୈଠକ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ