ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ବାଲେଶ୍ବର: ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ହସ୍ପିଟାଲରେ ଧାରଣାରେ ବସିଲେ ପରିବାର ଲୋକେ । ଏଭଳି ଅଭାବାନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସହରର ଏକ ନର୍ସିଂହୋମରେ । ମୃତ ନବଜାତ ଶିଶୁକନ୍ୟା ହେଲେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କଁଅରା ଗ୍ରାମର ଅଜିତ କୁମାର ବେହେରାଙ୍କ ଝିଅ ।
ଖବର ଅନୁସାରେ, ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ କଁଅରା ଗ୍ରାମର ଅଜିତ କୁମାର ବେହେରା ଗତ ୮ ତାରିଖରେ ବାଲେଶ୍ବର ଚିଡିଆ ପୋଲ ସ୍ଥିତ ଏକ ଘରୋଇ ନର୍ସିଂହୋମରେ ତାଙ୍କ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ଆଡମିଶନ କରିଥିଲେ । ୧୦ ତାରିଖରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ହେଲେ ୧୧ ତାରିଖ ସକାଳେ ନର୍ସିଂହୋମ ଡାକ୍ତର ନବଜାତକକୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଚିକିତ୍ସା ଅଵହେଳା ଯୋଗୁଁ ନବଜାତ ଶିଶୁ କନ୍ୟାର ମୃତ ହୋଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଖବରପାଇ ଟାଉନଥାନା ପୋଲିସ ପହଞ୍ଚି ପରିବାରଲେକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ: ନୂଆ ରୂପରେ ଝଲସିବ ଚକ୍ରତୀର୍ଥ ବେଳାଭୂମି, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି
ପରିବାରଲୋକଙ୍କ କହିବା ଅନୁସାରେ, "ପ୍ରଥମେ ଆମେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ । କିନ୍ତୁ ସେଠାରେ ସଠିକ ଭାବେ ଚିକିତ୍ସା କଲେ ନାହିଁ । ଏହାପରେ ମୁଁ ନର୍ସିଂହୋମରେ ଭର୍ତ୍ତି କରିଥିଲି । ନର୍ସିଂହୋମ କର୍ମଚାରୀମାନେ ଆମକୁ ଭଲ ଚିକିତ୍ସା ଯୋଗାଇଦେବେ ବୋଲି କହିବାରୁ ଆମେ ଭର୍ତ୍ତି କରିଥିଲୁ । ମୋତେ ପ୍ରଥମେ ପଚାରିଥିଲେ ସ୍ବାସ୍ଥ୍ୟକାର୍ଡ ଅଛି କି ନାହିଁ ବୋଲି । ମୁଁ ମନାକରି ପଚାରିଥିଲି କେତେ ପଇସା ଖର୍ଚ୍ଚ ହେବ ବୋଲି । ସେ ୫୦ରୁ ୬୦ ହଜାର କହିବାରୁ ମୁଁ ଏହି ନର୍ସିଂହୋମରେ ଭର୍ତ୍ତି କରିଥିଲି । କିନ୍ତୁ ମୋ ଛୁଆର ମୃତ୍ୟୁ ହୋଇଯାଇଛି । ଚିକିତ୍ସା ଅବହେଳା କାରଣରୁ ହିଁ ତାର ମୃତ୍ୟୁ ହୋଇଛି । "
ଏହା ମଧ୍ୟ ପଢନ୍ତୁ: ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ, ରୋଗୀ ମୃତ
ପ୍ରକାଶଥାଉକି, ଗତ ଅକ୍ଟୋବର ମାସରେ ପୁରୀରୁ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା । ଚିକିତ୍ସା ଅବହେଳାରୁ ପୁରୀ ବଡ଼ ଡାକ୍ତରଖାନାରେ ରୋଗୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁରୀ ବ୍ରହ୍ମଗିରି ନଟିଆ ନିବାସୀ ନାରାୟଣ ସାହୁ ଛାଣି ଯନ୍ତ୍ରଣା ପାଇଁ ପୁରୀ ମେଡିକାଲ ଆଡିମିଶନ ହୋଇଥିଲେ । ଦିନ ତମାମ ଯନ୍ତ୍ରଣା ବଢିବାରେ ଲାଗିଥିଲା । ପରେ ରାତିରେ ଯନ୍ତ୍ରଣା ବଢିବା ପରେ ଡାକ୍ତରଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ ଡାକ୍ତର ବିଳମ୍ବରେ ଆସିଥିଲେ । ଯାହା ଫଳରେ ନାରାୟଣ ସାହୁଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପୁଅ ଅଭିଯୋଗ କରିଥିଲେ । ଏନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଇଟିଭି ଭାରତ, ବାଲେଶ୍ବର