ବାଲେଶ୍ବର: ନେସ୍କୋ ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ 11 ଦଫା ଦାବି ନେଇ ଆସନ୍ତା 22 ତାରିଖରେ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତ୍ତି ହୋଇଛି । ଏନେଇ ସମିତି ପକ୍ଷରୁ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମିତି ସମସ୍ତ ତଥ୍ୟ ଉପସ୍ଥାପନ କରିଛି ।
ନେସ୍କୋ ଶ୍ରମିକ କର୍ମଚାରୀ ସମନ୍ୱୟ ସମିତିର ଗଣଧାରଣା ନିଷ୍ପତ୍ତି ଦିନକୁ ଦିନ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ତୁଳନାରେ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀଙ୍କ ସଂଖ୍ୟା ଅଭାବ ଥିବାରୁ ଉପଭୋକ୍ତାମାନେ ଉଚିତ ସେବା ପାଇ ପାରୁନାହାଁନ୍ତି । ଅଳ୍ପ ସଂଖ୍ୟକ କର୍ମଚାରୀ ବିଦ୍ୟୁତ ସେବା ଯୋଗାଇବାରେ ଅସମର୍ଥ ଥିବା କାରଣରୁ ଅନେକ ସମୟରେ ଆକ୍ରୋଶର ଶିକାର ହେଉଥିବା ସମିତି ପକ୍ଷରୁ କୁହାଯାଇଛି । ନେସ୍କୋର ସର୍ବୋଚ୍ଚ ଅଧିକାରୀମାନେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିରେ ଲିପ୍ତ ଥିବା ସମିତି ଅଭିଯୋଗ ହେବା ସହ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଛି । ନିମ୍ନ ମାନର ବିଦ୍ୟୁତ ଉପକରଣ ଯୋଗାଇ ଦିଆଯାଉଥିବାରୁ ବିଦ୍ୟୁତ ସେବାରେ ଅନେକ ସମୟରେ ବ୍ୟାଘାତ ସୃଷ୍ଟି ହେଉଥିବାବେଳେ ବିନା ଟେଣ୍ଡରରେ ମିଟର ରିଡିଙ୍ଗ, ବିଲିଂ ଓ ମରାମତି କାର୍ଯ୍ୟ ଠିକାଦାରମାନଙ୍କୁ ଦିଆଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । 2015 ରେ କର୍ମଚାରୀଙ୍କ ବେତନ ସଂଶୋଧନର ବକେୟା ଆଜିଯାଏଁ ମିଳି ନାହିଁ ବୋଲି କୁହାଯାଇଛି । ଏ ସବୁ ସମସ୍ୟାକୁ ନେଇ ସମିତି ପକ୍ଷରୁ ଆସନ୍ତା 22 ତାରିଖରେ ଧାରଣା ଦିଆଯିବା ସହ ଦାବି ପୂରଣ ନହେଲେ 23 ତାରିଖ ଠାରୁ ଅସହଯୋଗ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ଏହି ଆନ୍ଦୋଳନକୁ ବିଦ୍ୟୁତ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ସମର୍ଥନ କରାଯିବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିବା ବେଳେ ଏହାକୁ ନେସ୍କୋର ହୀନ ଚକ୍ରାନ୍ତ ବୋଲି ସମିତି ପକ୍ଷରୁ କୁହାଯାଇଛି । ଗୋଟିଏ ସଂଘ ଅନ୍ୟ ଏକ ସଂଘ ବିରୋଧରେ କହିବା ଶୋଭନୀୟ ନୁହେଁ ବୋଲି ସ୍ପଷ୍ଟ ଭାବେ ମନ୍ତବ୍ୟ ରଖାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ