ବାଲେଶ୍ବର: ଶୁକ୍ରବାର ସନ୍ଧ୍ୟା ୭ଟା ରୁ ୮ ଟା ମଧ୍ୟରେ ଉତ୍ତର ବାଲେଶ୍ବର ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ । ପଶ୍ଚିମ ଓ ଉତ୍ତର ଓଡିଶା ଉପକୂଳ ଦେଇ ଅତିକ୍ରମ କରି ଦୀଘା ନିକଟରେ ସ୍ଥଳ ଭାଗ ଛୁଇଁଛି ଗଭୀର ଅବପାତ । ଏନେଇ ବାଲେଶ୍ବରରେ ୨୮୦ ମିମି ବର୍ଷା ହେବାର ଆକଳନ କରାଯାଇଛି । ତେବେ ବାଲେଶ୍ଵରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉତ୍ତର ବାଲେଶ୍ଵର ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି (NDRF Team Alert in North Balasore) ।
ପ୍ରଥମେ ତଳିଆ ଅଞ୍ଚଳରୁ ୪ରୁ ୫ ହଜାର ଲୋକ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ମହଜୁଦ ରହିଛି । ବନ୍ୟା ପାଇଁ ବିଦ୍ୟୁତ ବିଭାଗ ସଜାଗ ରହିଛି । ସେହିପରି 4ଟି ବ୍ଲକ ବସ୍ତା, ଜଳେଶ୍ବର, ବାଲିଆପାଳ ଓ ଭୋଗରାଇ ଅଞ୍ଚଳକୁ ହାଇ ଆଲର୍ଟ ଜାରି କରାଯାଇଛି । ବନ୍ୟାସ୍ଥିତି ପାଇଁ ସବୁ ବ୍ଲକରେ ବରିଷ୍ଠ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ଦିଆଯାଇଛି । ସ୍ଥିତିକୁ ନଜରରେ ରଖି NDRFର 2ଟି ଟିମ୍ ଓ ଓଡ୍ରାଫର 4ଟି ଟିମ ସହ ଅଗ୍ନିଶମ ବାହିନୀର ୪ଟି ଟିମ୍ ପ୍ରସ୍ତୁତ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଭାବେ ଉତ୍ତର ବାଲେଶ୍ଵର ଉପରେ ଫୋକସ ରଖାଯାଇଛି । 4 ବ୍ଲକ ଅର୍ଥାତ୍ ଭୋଗରାଇ, ବାଲିଆପାଳ, ଜଳେଶ୍ଵର ଓ ବସ୍ତାର ପାଖାପାଖି ୧୦୦ରୁ ୧୨୦ ଗାଁ ଲୋକ ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ରୂପେ ସଜାଗ ରହିଛି ।