ବାଲେଶ୍ୱର:ଶରତକାଳୀନ ପାର୍ବଣ ଋତୁରେ ମା'ଙ୍କ ଆଗମନ ହୋଇଛି । ଶlତୃର ସଂହାର ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦୁର୍ଗତିନାଶିନୀ । ମା'ଙ୍କ ଆବାହନ ନେଇ ସଜେଇ ହେଲାଣି ପୂଜା ମଣ୍ଡପ । ଶାରଦୀୟ ଦଶହରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ବିଭିନ୍ନ ଶକ୍ତିପୀଠରେ ମହାଳୟା ଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ମା'ଙ୍କ ଷୋଡଶ ଉପଚାର ପୂଜା ଚାଲିଥିବାବେଳେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ବାଲେଶ୍ଵର ସହର ଉପକଣ୍ଠ କୁରୁଡ଼ା ନିକଟରେ ଥିବା ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା' ବଗଳାମୁଖୀଙ୍କ ନିଆରା ପୂଜାର୍ଚ୍ଚନା ଚାଲିଛି । ମା' ନଅଟି ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି।
ମା' ବଗଳାମୁଖୀଙ୍କ ପୀଠର ଅନେକ ମାହାତ୍ମ୍ୟ ରହିଛି। ଯେକେହି ବି ଏଠାକୁ ଆସିଲେ ଖାଲି ହାତରେ ଫେରନ୍ତି ନାହିଁ ବୋଲି ବିଶ୍ବାସ ରହିଛି । ଶ୍ରୀ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମୁଖ୍ୟ ଦେବତା ହେଲେ ମା' ବଗଳାମୁଖୀ। ଦଶ ମହାବିଦ୍ୟା ମଧ୍ୟରୁ ମା' ବଗଳାମୁଖୀ ହେଉଛନ୍ତି ଅଷ୍ଟମ ମହାବିଦ୍ୟା। ଗର୍ଭଗୃହରେ ମା'ଙ୍କ ଚାରି ପାଖରେ ଦଶ ମହାବିଦ୍ୟା ବିରାଜିତ। ମା'ଙ୍କ ଗଣପତି ହେଉଛନ୍ତି ହରିଦ୍ରା ଗଣେଷ ଏବଂ ରୁଦ୍ର ହେଉଛନ୍ତି ମହାମୃତ୍ୟୁଞ୍ଜୟ ବାବା, ମା'ଙ୍କ ଆଗରେ ବିରାଜମାନ କରିଛନ୍ତି। ସେହିପରି ମା'ଙ୍କ ପୀଠର ଚତୁର୍ପାର୍ଶ୍ୱରେ ବଟୁକ, ଭୈରବ, କ୍ଷେତ୍ରପାଳ ଯୋଗିନୀ ଆଦି ଦେବାଦେବୀ ରହିଛନ୍ତି । ମା'ଙ୍କ ସମସ୍ତ ଶକ୍ତି ପୂଜା ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ତେବେ ଏହି ପୀଠରେ ଏକ ନିଆରା ପରମ୍ପରା ରହିଛି। ବର୍ଷକରେ ମା'ଙ୍କ ପାଖରେ 4 ଥର ନବରାତ୍ର ପୂଜା କରାଯାଏ । ଦୁଇଟି ଗୁପ୍ତ ନବରାତ୍ର ପୂଜା ଥିବାବେଳେ ଅନ୍ୟ ଦୁଇଟି ବାସନ୍ତିକ ନବରାତ୍ର ଓ ଶାରଦୀୟ ନବରାତ୍ର ପୂଜା ହୋଇଥାଏ । ମାଘ ମାସ ଓ ଆଷାଢ଼ ମାସରେ ପଡୁଥିବା ଦୁଇଟି ନବରାତ୍ରକୁ ଗୁପ୍ତ ନବରାତ୍ର ଭାବେ ପାଳନ କରାଯାଇଥାଏ । ସେହିପରି ଶାରଦୀୟ ଓ ବାସନ୍ତିକ ନବରାତ୍ରରେ ମା'ଙ୍କ ଷୋଳପୂଜା ମୂଳାଷ୍ଟମୀରୁ ଆରମ୍ଭ ହୋଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ:ନବରାତ୍ରୀର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଇବେ ମା'