ବାଲେଶ୍ବର: ସହରରେ ନାବାର୍ଡ ପକ୍ଷରୁ ଗ୍ରାମୀଣ ଭିତ୍ତିଭୂମୀ ବିକାଶ ପାଣ୍ଠିର ସଦୁପଯୋଗ ସମ୍ପର୍କିତ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ , ଯାଜପୁର ଓ କେଉଁଝର ଜିଲ୍ଲାର ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
୫ଟି ଜିଲ୍ଲାର ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ଉଠା ଜଳସେଚନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଶେଷ କରି ଗ୍ରାମାଞ୍ଚଳର ବିକାଶ ଦିଗରେ ଏହି କର୍ମଶାଳାରେ ଗୁରୁତ୍ବ ଦିଆଯାଇଥିବାବେଳେ, ଅଧିକରୁ ଅଧିକ ପାଇଲଟ ପ୍ରୋଜେକ୍ଟ ଉପରେ ଗୁରୁତ୍ବ ଦେବାପାଇଁ ଉପସ୍ଥିତ ଯନ୍ତ୍ରୀ ମାନଙ୍କୁ ନାବାର୍ଡର ଅଧିକାରୀମାନେ କହିଥିଲେ । ତ୍ୱରିତ ପ୍ରକ୍ରିୟାରେ କିପରି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରି ହୋଇପାରିବ ସେନେଇ ଅଧିକ ଗୁରୁତ୍ୱାରୋପ କରାଯାଇଥିଲା ।
ଗ୍ରାମାଞ୍ଚଳ ବିକାଶ ଦିଗରେ ନାବାର୍ଡର ଗୁରୁତ୍ୱ ଏନେଇ ନାବାର୍ଡ ସିଜିଏମ କହିଛନ୍ତି ଯେ, "RIDF(Rural Infrastructure Development Fund)1995 ମସିହାରେ ନାବାର୍ଡରେ ଆରମ୍ଭ ହୋଇଥିଲା । କେତେକ ବେସରକାରୀ ବ୍ୟାଙ୍କ ଋଣ ଦେଇପାରିନଥାନ୍ତି । ଫଳରେ ନାବାର୍ଡ ପ୍ରଥମେ ସେହି ଟଙ୍କା ନିଜ ପାଖେ ଜମା ରଖିଥାଏ । ପରେ ତାହା ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଦେଇଥାଉ ।"
ଏହା ମଧ୍ୟ ପଢନ୍ତୁ:୪୧ତମ ପ୍ରତିଷ୍ଠା ଦିବସ ପାଳିଲା ନାବାର୍ଡ
ନାବାର୍ଡ ଡିଜିଏମ ଏସ ଆର୍ ପଣ୍ଡା କହିଛନ୍ତି ଯେ, "ନିୟମ ଅନୁସାରେ ପ୍ରଥମେ ସରକାର ପଇସା ଖର୍ଚ୍ଚ କରନ୍ତି । ପରେ ନାବାର୍ଡ ପାଖକୁ ସାର୍ଟିଫିକେଟ ଆସିଲା ପରେ ତାହା ଫେରସ୍ତ ହୋଇଥାଏ । ତେଣି ନାବାର୍ଡରୁ ପଇସା ଆସି ଖର୍ଚ୍ଚ ନହୋଇ ଅଟକି ରହିଯିବା ତାହା ସମ୍ଭବ ହୋଇପାରିବ ନାହିଁ । RIDF ଅଧିନରେ ଯେଉଁ ସବୁ ପ୍ରଜେକ୍ଟ ରହିଛି ତାହା ସୁରୁଖୁରୁରେ ଚାଲୁଛି ।"
ଆସୋଚାମ ରିପୋର୍ଟ ୨୦୧୭ ଅନୁସାରେ ପୁଞ୍ଜିନିବେଶ ପ୍ରକଳ୍ପ କାର୍ଯ୍ୟାନ୍ବୟନ ହାରରେ ରାଜ୍ୟ ପ୍ରଥମ ସ୍ଥାନ ପାଇଛି । ବର୍ତ୍ତମାନ ଦେଶର ସର୍ବଶ୍ରେଷ୍ଠ ତିନି ପୁଞ୍ଜିନିବେଶ ରାଜ୍ୟ ମଧ୍ୟରୁ ଓଡ଼ିଶା ଗୋଟିଏ । ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, "ଇତି ମଧ୍ୟରେ ରାଜ୍ୟର ଶତ ପ୍ରତିଶତ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଛି । ଗ୍ରାମୀଣ ରାସ୍ତା, ଆବାସ, କୃଷକ ସଶକ୍ତିକରଣ, ମହିଳା ସଶକ୍ତିକରଣ ଏବଂ କୌଶଳ ବିକାଶ ଆଦିକ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ଏକ ଆଗୁଆ ରାଜ୍ୟ ।
କୋଭିଡ ପରବର୍ତ୍ତୀ ସ୍ଥିତିରେ ଗ୍ରାମାଞ୍ଚଳରେ ନୂତନ ରୋଜଗାର ସୁବିଧା ସୃଷ୍ଟି, ବ୍ୟବସାୟ ଭିତ୍ତିକ କୃଷି, ସାମାଜିକ ଭିତ୍ତିଭୂମି, କୃଷି-ବ୍ୟବସାୟ, ଜଳ ସେଚନ, ଖାଦ୍ୟ ପ୍ରକ୍ରିୟାକରଣ, ଗମନାଗମନ ବିକାଶ ଆଦି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି ।" ଏଥିପାଇଁ ନାବାର୍ଡ଼ ସହାୟତା ଓ ଋଣ ବଢ଼ାଇବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଆରୋପ କରିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର