ବାଲେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ଲୁଟ୍ପାଟ୍ ମାମଲା । ରାତିର ଅନ୍ଧାରରେ ଚୋର ଚୋରି କରୁଥିବା ବେଳେ ଦିନ ଦ୍ବିପହରରେ ଏବେ କଳାକନା ବୁଲାଇବାକୁ ପଛାଉ ନାହାଁନ୍ତି ଲୁଟେରା । ଏପରି ଏକ ମାମଲା ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଘଟିଛି । ଦିନ ଦ୍ବିପହରରେ ମହିଳାଙ୍କୁ ଆକ୍ରମଣ କରି ଘରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ । ଅନ୍ୟପଟେ ଲୁଟେରାଙ୍କ ଆକ୍ରମଣରେ ମହିଳା ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । କାରଣ ଖଇରା ଥାନାଠାରୁ ମାତ୍ର କିଛି ଦୂରରେ ଏପରି ଘଟଣା ଘଟିଥିବା ବେଳେ ଏହା ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଥିବା କହିଛନ୍ତି ସ୍ଥାନୀୟବାସୀ ।
ସୂଚନାନୁସାରେ, ଖଇରା ଥାନା ଅଧିନ ମିଟୁଆଣି ଭଞ୍ଜପଦା ଗ୍ରାମର ସୁଦର୍ଶନ ପାଣିଗ୍ରାହୀଙ୍କ ଘରେ ଲୁଟ ହୋଇଛି । ସୁଦର୍ଶନ କୌଣସି କାମରେ ଦିନ ଦ୍ବିପ୍ରହରରେ ଖଇରା ବଜାରକୁ ଯାଇଥିଲେ । ବଜାର କାମରେ ସୁଦର୍ଶନ ବ୍ୟସ୍ତ ଥିବା ବେଳେ ଘରେ ଏକୁଟିଆ ତାଙ୍କର ବୋହୁ ଘରକାମରେ ବ୍ୟସ୍ତ ଥିଲେ । ଏହି ସମୟରେ କିଛି ଲୁଟେରା ଭଦ୍ର ବେଶରେ ଆସି ସୁଦର୍ଶନଙ୍କ ଘରେ ଏକୁଟିଆ ଥିବା ତାଙ୍କ ବୋହୁ ଦୀପ୍ତିରେଖାଙ୍କୁ ପାଣି ପିଇବା ପାଇଁ ମାଗିଥିଲେ । ପାଣି ଦେବାପାଇଁ ଦୀପ୍ତିରେଖା ଘର ଭିତରକୁ ଯାଇଥିଲେ । ଘର ଭିତରୁ ପାଣି ନେଇ ଦୀପ୍ତିରେଖା ଆସିବା ବେଳକୁ 5ରୁ ଅଧିକ ଲୁଟେରା ହଠାତ ଜୋର ଜବରଦସ୍ତ ଭାବେ ତାଙ୍କ ଘର ଭିତରକୁ ପଶି ଯାଇଥିଲେ । ଦୀପ୍ତିରେଖା ଲୁଟେରାମାନଙ୍କୁ ବିରୋଧ କରିଥିଲେ ମାତ୍ର ଲୁଟେରାମାନେ ଦୀପ୍ତିରେଖାଙ୍କୁ ଏକ ବାଡ଼ିରେ ଆକ୍ରମଣ କରିଥିଲେ । ଆକ୍ରମଣ ଯୋଗୁଁ ଦୀପ୍ତିରେଖା ଆହତ ହୋଇଥିଲେ ।