ବାଲେଶ୍ୱର: ରାଜ୍ୟର ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବରେ ବାଲେଶ୍ବର ଜିଲ୍ଲାର ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଯୁକ୍ତ ହୋଇଛନ୍ତି । ମନ୍ତ୍ରୀପଦ ପାଇବା ପରେ ନିଜ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକୁ ପ୍ରଥମେ ଗୁରୁତ୍ବ ଦେଇଛନ୍ତି । ବିଭିନ୍ନ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରି ସେଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉକ୍ତ ପର୍ଯ୍ୟଟନସ୍ଥଳ ଗୁଡିକୁ ଟୁରିଜିମ୍ ହବ୍ ଭାବେ ବିକାଶ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଜିଲ୍ଲାର ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଦର୍ଶନ କରିବା ପରେ ରେମୁଣାର କ୍ଷୀରଚୋରା ମନ୍ଦିରରେ ପହଞ୍ଚିଥିଲେ । ସେଠାରୁ ଭୋଗରାଇ ତାଳସାରି ଓ ପରେ ଚାନ୍ଦିପୁର ବେଳାଭୂମି ବୁଲିବା ସହ ସ୍ଥିତି ସମୀକ୍ଷା କରିଥିଲେ । ଆଗାମୀ ଦିନରେ ବାଲେଶ୍ୱରକୁ ଟୁରିଜିମ ହବ୍ରେ ପରିଣତ କରିବାକୁ ମନ୍ତ୍ରୀ ଲକ୍ଷ୍ୟ ରଖିଥିବା କହିଛନ୍ତି । ରାଜ୍ୟର ଉନ୍ନତି ପାଇଁ ପର୍ଯ୍ୟଟନ ଭଳି ସେବାକ୍ଷେତ୍ରକୁ ଗୁରୁତ୍ବ ଦେବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ଅବସରରେ ପ୍ରକାଶ କରିଛନ୍ତି ।