ବାଲେଶ୍ବର:ଶିକ୍ଷାଗତ ଯୋଗ୍ୟତା ମାତ୍ର ଦଶମ ପାସ୍ । ହେଲେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ । ଏପିକଲ ଠାରୁ ଆରମ୍ଭ କରି ସୋଆ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଆସି ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ହାଟମଇତାପୁର ଅଞ୍ଚଳର ଗଜେନ୍ଦ୍ର ପ୍ରସାଦ ବେହେରା । ଜିଆଖତ ପ୍ରସ୍ତୁତ କରି ସେ ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଚାଷଜମିର ଉର୍ବରତା ବୃଦ୍ଧି ପାଇଁ ଗଜେନ୍ଦ୍ର ଜିଆଖତ ପ୍ରସ୍ତୁତ କରୁଛନ୍ତି ଏବଂ ଏହି ଜୈବିକ ସାର ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ନିଜର ଏଭଳି ଅଭିନବ ପ୍ରୟାସ ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ଗଜେନ୍ଦ୍ର ।
ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ହୋଇଥିବା ବେଳେ ଏବେ ଅଦିନିଆ ବର୍ଷା ଓ ନିଆଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ଚାଷ ପ୍ରତି ମୁହଁ ଫେରାଇ ନେଉଛନ୍ତି । ପୁଣି କେମିକାଲ ଯୁକ୍ତ ସାର ପ୍ରୟୋଗ ଦ୍ବାରା ଚାଷ ଜମିର ଉତ୍ପାଦନ କ୍ଷମତା ହ୍ରାସ ପାଇବାରେ ଲାଗଛି । ଏସବୁ ପ୍ରତିକୂଳ ପରିସ୍ଥିତି ଭିତରେ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଜିଆଖତ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ଗଜେନ୍ଦ୍ର । ଜିଆଖତକୁ ଚାଷରେ ପ୍ରୟୋଗ କରି ଅମଳ କ୍ଷମତା ବୃଦ୍ଧି କରାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଦୀର୍ଘ ୨୫ ବର୍ଷ ହେଲା ଏହି ଜିଆଖତ ତାଙ୍କୁ ଜୀବନ ନିର୍ବାହର ନୂତନ ବାଟ ଦେଖାଇଥିବା ବେଳେ ଏବେ ସେ ଅନ୍ୟ କୃଷକମାନଙ୍କ ପାଇଁ ଅନନ୍ୟ ଉଦାହରଣ ପାଲଟିଛନ୍ତି । ଖାଲି ସେତିକି ନୁହେଁ, ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଗଜେନ୍ଦ୍ର ଏହି ଜିଆଖତ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି ।
ଜିଆଖତ ପ୍ରସ୍ତୁତିରେ ସଫଳତା ପାଇଁ ଗଜେନ୍ଦ୍ର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲାପାଳ ଜିଲ୍ଲାରେ ଜଣେ ଚାଷୀଙ୍କର ଏଭଳି ଏକ ପଦକ୍ଷେପ ଦେଖି ତାଙ୍କୁ ଉତ୍ସାହିତ କରିବା ପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କୃଷିକୁ ପ୍ରାଥମିକତା ଦେଉଥିବା ରାଜ୍ୟ ସରକାର ଏ ବିଷୟରେ ଜାଣିବା ପରେ ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳ ସମେତ ବିଭିନ୍ନ ପଦାଧିକାରୀମାନେ ସିମୁଳିଆର ମାଇତାପୁର ଅଞ୍ଚଳକୁ ଆସି ସଫଳ ଚାଷୀ ଗଜେନ୍ଦ୍ରଙ୍କୁ ଭେଟି ଜିଆଖତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଛନ୍ତି ।
ସୂଚନା ଅନୁସାରେ, ୧୯୯୯ ମହାବାତ୍ୟା ପରେ ଗଜେନ୍ଦ୍ରଙ୍କ ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇପଡିଥିଲା । ପିଲାଛୁଆ ଓ ବାପାମାଆଙ୍କ ପେଟକୁ ଦାନା ଯୋଗାଡ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିଲା । ଚାଷଜମି କମ୍ ଥିବାରୁ ଅନ୍ୟମାନଙ୍କ ଜମି ବଖରାରେ ଚାଷ କରି ପରିବାର ଚଳାଉଥିଲେ ହେଁ ବିଭିନ୍ନ ସମୟରେ କ୍ଷତି ସହୁଥିଲେ । ଏହାପରେ ସେ ରାଣିତାଲ କୃଷି ଗବେଷଣା କେନ୍ଦ୍ରରୁ ଯାଇ ଜିଆଖତ ଉପରେ ପରାମର୍ଶ ନେଇଥିଲେ । ଗବେଷଣା କେନ୍ଦ୍ରର ପରାମର୍ଶ କ୍ରମେ ବେଙ୍ଗାଲୁରୁ ଯାଇ ସେଠାରୁ ୨୫ଟି ଜିଆ ଆଣି ଜିଆଖତ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହି ଜିଆଖତ ବିକ୍ରି କରି ନିଜ ପରିବାରର ଆବଶ୍ୟକତାକୁ ପୂରଣ କରିବା ସହିତ ଏବେ ଅନ୍ୟପାଇଁ ଉଦାହରଣ ସାଜିଛନ୍ତି ଗଜେନ୍ଦ୍ର ବେହେରା ।