ବାଲେଶ୍ବର: ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଝାଡ଼ଖଣ୍ଡର ମୂଷାବଣିରୁ ସେମାନଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତି ଥିବା ନେଇ ମୋଟ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରିଥିବା ମୟୂରଭଞ୍ଜ ଇନଚାର୍ଜ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଗତ 22 ତାରିଖରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଚାକିଡି ବିଟ ଅଞ୍ଚଳରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିଲା । ଶିକାରୀମାନେ ଶିମିଳିପାଳ ଅଞ୍ଚଳରେ ଶିକାର କରି ଫେରୁଥିବା ବେଳେ ସେଠାରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନା ଶିକାରୀମାନଙ୍କୁ ବାରଣ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଶିକାରୀମାନେ ବିମଳଙ୍କୁ ଗୁଳି ଚାଳନା କରିଥିଲେ। ଯେଉଁଥିରେ ବିମଳଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏହି ହତ୍ୟାକାଣ୍ଡରେ 10 ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ମାତ୍ର ଏଥିରେ ସମୁଦାୟ 26 ଜଣ ଶିକାରୀ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା । 26 ଜଣଙ୍କ ମଧ୍ୟରୁ ପୋଲିସ ପର୍ଯ୍ୟାୟ କ୍ରମେ 7 ଜଣଙ୍କୁ ଗିରଫ କରିଛି । ପ୍ରଥମେ 26 ତାରିଖରେ 3 ଜଣ ଅଭିଯୁକ୍ତ, 28 ତାରିଖରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।