ବାଲେଶ୍ବର: ଗତ ୨୦ ତାରିଖରେ ଉତ୍ତରପ୍ରଦେଶ ପ୍ରୟାଗରାଜ ସ୍ଥିତ ବାଘମ୍ବରୀ ମଠର ମଠାଧୀଶ ତଥା ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହେବା ସହ ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଥିଲା ।
ମହନ୍ତଙ୍କ ମୃତ୍ୟୁ ପରେ ତୁରନ୍ତ ଆକ୍ସନକୁ ଆସିଥିଲେ ୟୁପି ସରକାର । ପ୍ରାଥମିକ ତଦନ୍ତ ଆଧାରରେ ୩ ଜଣଙ୍କୁ ଗିରଫ କରିଥିଲେ । ଏହାସହ ଏବେ ୟୁପି ପୋଲିସ ପାଖରୁ ତଦନ୍ତ ଭାର ସିବିଆଇ ନେଇ ଘଟଣାର ଛାନଭିନ କରୁଛି । କିନ୍ତୁ ଏହାରି ଭିତରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ନେଇ ଏବେ ଆସିଛି ବଡ ଟ୍ବିଷ୍ଟ । କାରଣ ମହନ୍ତ ନରେନ୍ଦ୍ର ଗିରିଙ୍କୁ ନିଜ ଭାଇ ଦାବି କରିଛନ୍ତି ବାଲେଶ୍ବର ଭୋଗରାଇ ବ୍ଲକ ପାଣିଷଣ୍ଡା ଗ୍ରାମରେ ରହୁଥିବା ଗୋଟିଏ ପରିବାର ।
ମହନ୍ତ ନରେନ୍ଦ୍ର ଗିରିଙ୍କୁ ନିଜ ଭାଇ ଦାବି କରୁଥିବା ଏହି ପରିବାର ହେଲେ, ଲକ୍ଷ୍ମୀକାନ୍ତ ଗିରି, ଲକ୍ଷ୍ମୀକାନ୍ତ ଗିରି ଓ ପରିବାର ସଦସ୍ୟ । ତାଙ୍କର ଦାବି ହେଲା ତାଙ୍କ ପିତା ସନାତନ ଗିରି ଓ ରମାମଣି ଗିରିଙ୍କ 6 ଜଣ ପୁଅ ଝିଅଙ୍କ ମଧ୍ୟରୁ ନରେନ୍ଦ୍ର ଗିରି ଥିଲେ ସବୁଠାରୁ ବଡ । ପ୍ରାୟ ୫୨ ବର୍ଷ ତଳେ କୌଣସି ଏକ କାରଣରୁ ନରେନ୍ଦ୍ର ଗିରି ଗାଁ ପରିବାର ଛାଡି କୁଆଡେ ପଳାଇଥିଲେ । ପରିବାରର ଅନେକ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ ।