ଓଡିଶା

odisha

ETV Bharat / state

କରମଣ୍ଡଳର କଳା କାହାଣୀ, ସେଦିନର କଥା ଭୁଲି ହେଉନି - ବାହାନଗା ଦୁର୍ଘଟଣା

Bahanaga Tragedy: ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଲାଣି ୬ ମାସ । ହେଲେ ଏବେବି ଟ୍ରେନର ହର୍ଣ୍ଣ ଶୁଣିଲେ ମନରେ ପଶୁଛି କୋକୁଆ ଭୟ । ଅଧିକ ପଢନ୍ତୁ

bahanaga tragedy
ବାହାନଗା ଦୁର୍ଘଟଣା

By ETV Bharat Odisha Team

Published : Dec 28, 2023, 10:22 PM IST

ବାହାନଗା ଦୁର୍ଘଟଣା

ବାଲେଶ୍ବର: ବିଶ୍ବକୁ ଦୋହଲାଇ ଦେଇଥିଲା ବାହାନଗା ଦୁର୍ଘଟଣା । ଗତ ଜୁନ ୨ ତାରିଖରେ ଘଟିଥିବା ଟ୍ରେନ ଟ୍ରାଜେଡିକୁ ବିତିଲାଣି ୬ ମାସ । ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ । ବାହାନଗାରେ ଘଟିଥିବା ଏହି ଦୁର୍ଘଟଣାକୁ ଏ ଶତାବ୍ଦୀର ସବୁଠୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି । ସୂଚନା ଅନୁସାରେ, କରମଣ୍ଡଳ ଏକ୍ସପ୍ରେସର ଏକ ମାଲ ବୋଝେଇ ଟ୍ରେନ ସହ ଦୁର୍ଘଟଣା ହୋଇଥିଲା। ଅପରପଟୁ ଆସୁଥିବା ହାୱଡା ଯଶବନ୍ତପୁର ଏକପ୍ରେସ ମଧ୍ୟ ଲାଇନଚ୍ୟୁତ ହୋଇଥିଲା । ଏହି ଟ୍ରିପଲ ଟ୍ରେନ ଟ୍ରାଜେଡି ଆଖି ପିଛୁଳାକେ ସବୁକିଛି ଛାରଖାର କରିଦେଲା ।

ଚାରିଆଡେ ଆର୍ତ୍ତ ଚିତ୍କାର ଶୁଭୁଥିବାବେଳେ ସ୍ଥାନୀୟଲୋକେ ଓ ସ୍ବେଚ୍ଛାସେବୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । କୁଢ କୁଢ ମୃତଦେହ ସମସ୍ତଙ୍କୁ ଧୈର୍ଯ୍ୟହରା କରିଥିଲା । ଏତେ ସଂଖ୍ୟକ ଗୁରୁତରଙ୍କୁ ମେଡିକାଲରେ ପହଞ୍ଚାଇବା ଖୁବ ଚାଲେଞ୍ଜିଂ ଥିଲା । ଦୁର୍ଘଟଣାରେ କିଏ ଦୂରକୁ ଛିଟିକି ପଡିଥିଲା ତ ପୁଣି କିଏ ରେଳ ଡବା ତଳେ ଚାପି ହୋଇରହିଥିଲା । ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଉଦ୍ଧାରକାରୀ ଟିମ୍ । ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ବାହାନଗାବାସୀ ଗୁରୁତରଙ୍କୁ ବେଡସିଟ୍ ସାହାଯ୍ୟରେ ଗାଡିରେ ନେଇ ହସ୍ପିଟାଲରେ ପହଞ୍ଚାଇଥିଲେ । ସେମାନଙ୍କର ଏଭଳି ଆପ୍ରାଣ ଉଦ୍ୟମ ଇତିହାସର ସ୍ବର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ରହିବ । ସେହି ସମୟର ପ୍ରତ୍ୟକ୍ଷଦର୍ଶୀ ଯୁବ ସମାଜସେବୀ କହିଛନ୍ତି, "ଏହି ଘଟଣା ପରେ ସମସ୍ତଙ୍କୁ ଆଘାତ ଲାଗିଥିଲା । ଯେଉଁମାନେ ବାହାର ରାଜ୍ୟକୁ ରୋଜଗାର ପାଇଁ ଯାଇଥିଲେ ସେମାନଙ୍କର ଏଭଳି ମୃତ୍ୟୁକୁ ଦେଖିବା ପରେ ଆମ ପେଟକୁ ଦାନା ଯାଉନଥିଲା ।"



ସେପଟେ ଟ୍ରେନରେ ଯାତ୍ରା କରୁଥିବା ଲୋକଟି ଜୀବିତ ନା ମୃତ ତାହା ମଧ୍ୟ ଜାଣିବା ସମ୍ଭବପର ନଥିଲା । ଏଥିପାଇଁ ସମ୍ପର୍କୀୟମାନେ ମଧ୍ୟ ଦୁର୍ଘଟଣାରେ ଆହତ ବା ମୃତଙ୍କ ସନ୍ଧାନ ପାଇ ପାରୁନଥିଲେ । ଏହାରି ଭିତରେ କୁଢ କୁଢ ମୃତଦେହରେ ବୃଦ୍ଧ ବାପା ନିଜ ପୁଅକୁ ଖୋଜି ଖୋଜି ପାଉନଥିବା ଭଳି କରୁଣ ଚିତ୍ର ହୃଦୟ ବିଦାରକ ଥିଲା । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା । ପ୍ରଧାନମନ୍ତ୍ରୀଙ୍କ ସମେତ ରେଳମନ୍ତ୍ରୀ ଓ ଅନ୍ୟାନ୍ୟ ନେତା ମନ୍ତ୍ରୀ ଘଟଣାସ୍ଥଳକୁ ଆସି ସ୍ଥିତି ପରଖିଥିଲେ ।

ସେଦିନର କାଳ ରାତି ମନେ ପଡ଼ିଲେ ଆଜି ବି ଛାତି ଥରି ଯାଉଛି, ରୋମ ଟାଙ୍କୁରି ଉଠୁଛି। ଅସହାୟ ଅବସ୍ଥାରେ ଜୀବନ ବଞ୍ଚାଇବା ପାଇଁ କିଏ ନେହୁରା ହେଉଥିଲା ତ ପୁଣି କିଏ ଜୀବନ ସହ ସଂଘର୍ଷ କରି ଆଖି ଆଗରେ ଜୀବନ ହାରି ଦେଉଥିଲା। ସେ ଦୃଶ୍ୟ ଆଜି ବି ସେହିବାଟ ଦେଇ ଚାଲିଯିବା ବେଳେ ଭାରି ମନେ ପଡ଼ିଯାଏ। ସେଦିନ ଥିଲା ଜୁନ ୨ ତାରିଖ ୨୦୨୩। ଯେଉଁଦିନ କରମଣ୍ଡଳ ରଚିଥିଲା ତାର କଳା କାହାଣୀ । ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣା ଏ ଶତାବ୍ଦୀର ସବୁଠୁ ବଡ଼ ଦୁର୍ଘଟଣା ହୋଇଥିବା ବେଳେ ଆଜି ବି ସେ ଘଟଣା ଲୋକଙ୍କ ମନରୁ ଲିଭିନାହିଁ।



ସେଦିନ ଥିଲା ଶୁକ୍ରବାର, ରାତି ପ୍ରାୟ 7 ଟା ବେଳେ ଚାରିଆଡ଼େ ପ୍ରଚାର ହୋଇଗଲା ବାହାନଗା ନିକଟରେ ହୋଇଛି ରେଳ ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ ଏକ ମାଲ ବୋଝେଇ ଟ୍ରେନ ସହ ହୋଇଥିଲା ଦୁର୍ଘଟଣା। ଅପରପଟୁ ଆସୁଥିବା ହାୱଡା ଯଶବନ୍ତପୁର ଏକପ୍ରେସର ମଧ୍ୟ ହୋଇଥିଲା ଲାଇନ ଚ୍ୟୁତ। ଖବର ପ୍ରଚାର ହେଉହେଉ ସାଙ୍ଗେସାଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼। ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ହାତ ବଢ଼ାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା।

କାହାର ହାତ କଟି ଯାଇଥାଏ ତ ପୁଣି କାହାର ଜୀବନ ଚାଲି ଯାଇଥାଏ। କୁଢ଼କୁଢ଼ ଶବ ଦେଖି ଅନେକ ଲୋକ ଧର୍ଯ୍ୟହରା ହୋଇ ପଡୁଥିଲେ। ସତେ ଯେମିତି ଆକାଶ ଟା ସେଦିନ ରାତିରେ ଛିଣ୍ଡି ପଡିଥିଲା ସେଇଠି। ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ପ୍ରଶାସନ। ପ୍ରଶାସନିକ ସ୍ତରରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ। କେମିତି ବଞ୍ଚାଇ ହେବ ଆହତଙ୍କ ଜୀବନ ସେନେଇ କରାଯାଇଥିଲା ସମସ୍ତ ପ୍ରଚେଷ୍ଟା। ଉଦ୍ଧାରକାରୀ ଦଳ ପାହଞ୍ଚିବା ପୂର୍ବରୁ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଟ୍ରେନ ଭିତରେ ଥିବା ବେଡ଼ସିଟ ଦ୍ୱାରା ଲୋକମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ନିକଟରେ ପହଂଚାଇଥିଲେ। ରାତି ସମୟ ହୋଇଥିବାରୁ ଦୁର୍ଘଟଣାରେ କିଏ ଦୂରକୁ ଛିଟିକି ପଡିଥିଲା ତ ପୁଣି କିଏ ରେଳ ଡବା ତଳେ ଚାପି ହୋଇଯାଇଥିଲା।

ଏମିତି ପରିସ୍ଥିତି ଭିତରେ ଉଦ୍ଧାରକାରୀ ଦଳ ପହଁଚିବା ପରେ ଜୋରଦାର କରାଯାଇଥିଲା ଉଦ୍ଧାରକାର୍ଯ୍ୟ। ଶୁକ୍ରବାର ରାତି ଠାରୁ ତିନିଦିନ ପର୍ଯ୍ୟନ୍ତ ଚାଲିଥିଲା ଉଦ୍ଧାର କାର୍ଯ୍ୟ। କିଏ ବୁଢ଼ାବାପା କୁଢ଼କୁଢ଼ ଶବ ଭିତରେ ପୁଅକୁ ଖୋଜୁଥିଲା ତ ପୁଣି ସ୍ୱାମୀକୁ ଖୋଜିଖୋଜି ବାହୁନି କାନ୍ଦୁଥିଲା ସ୍ତ୍ରୀ। ଆହତ ମାନଙ୍କୁ ତୁରନ୍ତ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସମାଜସେବୀମାନେ ଲାଗି ପଡ଼ିଥିଲେ ଲୋକମାନଙ୍କ ସେବାରେ। କାଳେ ମେଡିକାଲରେ ରକ୍ତର ଅଭାବ ହୋଇଯିବ ସେଥିପାଇଁ ରାତି ଦୁଇଟା ବେଳେ ମଧ୍ୟ ଅନେକ ଯୁବକ ସ୍ୱାଇଚ୍ଛାରେ ରକ୍ତଦାନ ପାଇଁ ମେଡିକାଲରେ ପହଞ୍ଚି ଯାଇଥିଲେ। ମେଡିକାଲକୁ କେବଳ ଆହତ ମାନେ ଆସୁଥିଲେ ତାହା ନୁହେଁ ଅନେକ ଲୋକଙ୍କ ଶବ ମଧ୍ୟ ଆସୁଥିଲା ଯାହାକୁ ଅନେକ ସମାଜସେବୀମାନେ ନିଜ ହାତରେ ସ୍ଥାନାନ୍ତର କରିବାରେ ସହଯୋଗ କରିଥିଲେ। ଅନ୍ୟପଟେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବହୁ ନେତା ଓ ମନ୍ତ୍ରୀ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହି କରିଥିଲେ ସ୍ଥିତି ସମୀକ୍ଷା। ଦୁଇଦିନ ପରେ ଶବ ଚିହ୍ନଟ ପାଇଁ ରେମୁଣା ଅଞ୍ଚଳରେ ଥିବା ନୋସି ବିଜିନେସ ପାର୍କରେ ପ୍ରଶାସନ ପକ୍ଷରୁ କରାଯାଇଥିଲା ପ୍ରସ୍ତୁତି। ବୁଢା ବାପା ହାତରେ ପୁଅର ଫଟୋ ଧରି ଆସି ପହଞ୍ଚିଥିଲା ପୁଅର ଶବ ନେବାପାଇଁ। ଇଞ୍ଜିନିୟର ହେବା ଆଶାରେ ଯାଇଥିବା ପୁଅ ଶେଷରେ ଫେରିଥିଲା ଶବ ହୋଇ। ପରିବାର ଆତ୍ମୀୟ ପରିଜନ ସମସ୍ତେ ଆସି ଖୋଜାଖୋଜି କରିଥିଲେ ନିଜର ଲୋକକୁ। କାହାର ମୁଣ୍ଡ ଫାଟି ଯାଇଥିବା ବେଳେ ଅନେକ ଲୋକଙ୍କ ମୁହଁ ଠିକ ଭାବେ ଚିହ୍ନି ହୋଇ ପାରୁନଥିବା ବେଳେ ସେ କରୁଣ ଦୃଶ୍ୟ ଆଜି ବି ମନକୁ ବିଚଳିତ କରୁଛି।



ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କୁ ବାହାନଗା ସ୍କୁଲରେ ରଖାଯାଇଥିଲା। ଯେଉଁଥିପାଇଁ ରାଜ୍ୟ ସରକାର ଉକ୍ତ ସ୍କୁଲର ରୂପାନ୍ତରଣ ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲେ। ବାହାନଗା ବାସୀଙ୍କ ସହଯୋଗ ପାଇଁ ଅନେକ ଲୋକଙ୍କ ଜୀବନ ବଂଚି ଯାଇଥିଲା। ସେଦିନ ଅଞ୍ଚଳବାସୀଙ୍କ ମାନବିକତା ପାଇଁ ବିଶ୍ୱ ଦରବାରରେ ବାହାନଗା ବେଶ ପ୍ରଶଂସିତ ହୋଇଛି। ଖାଲି ସେତିକି ନୁହେଁ, ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ସେମାନଙ୍କୁ ଜାହାକହି ପ୍ରଶଂସା କଲେ ମଧ୍ୟ କମ ହେବ। ସେମାନଙ୍କ ଉଦ୍ଧାରକାର୍ଯ୍ୟ ଏବଂ ସେମାନଙ୍କ କାମ ପାଇଁ ବାହାନଗା ବାସୀ ପାଣି, ଖାଦ୍ୟ ବାଣ୍ଟିଥିଲେ। ଜୁନ ମାସରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଯେମିତି କାହାର କିଛି ଅସୁବିଧା ନହେଉ ସେଥିପାଇଁ ବାହାନଗାବାସୀ ଖାଇବା ପିଇବାର ବନ୍ଦୋବସ୍ତ କରିଥିଲେ। ଏମିତି କି ମୃତକଙ୍କ ଉଦ୍ଦେଶ୍ୟରେ ଦଶାହ କର୍ମରେ ପ୍ରାୟ 30 ଜଣ ମୁଣ୍ଡନ ହୋଇଥିବା ଦେଖିବାକୁ ମିଳିଥିଲା। ଏକାଦଶାହ କର୍ମରେ ସ୍କୁଲ ପଡ଼ିଆରେ ହରିନାମ ସଂକୀର୍ତ୍ତନ କରାଯାଇଥିଲା। ଅମର ଆତ୍ମାର ସଦ୍ଗତି ପାଇଁ ସର୍ଵଧର୍ମ ସମ୍ମିଳନୀ ସାଙ୍ଗକୁ ଯଜ୍ଞ ଆୟୋଜନ କରାଯାଇଥିଲା। ଯେଉଁଥିପାଇଁ ବାହାନଗାବାସୀଙ୍କୁ ସବୁବେଳେ ଏ ଦେଶ ମନେ ରଖିବ।

ଏହା ମଧ୍ୟ ପଢନ୍ତୁ...ଯନ୍ତ୍ରଣାର ଛାପ ଛାଡିଗଲା ବାହାନଗା ଦୁର୍ଘଟଣା: ଲିଭି ଯାଇଥିଲା 3 ଶହ ଜୀବନ ଦୀପ

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କୁ ବାହାନଗା ସ୍କୁଲରେ ରଖାଯାଇଥିଲା । ମୃତକଙ୍କ ଉଦ୍ଦେଶ୍ୟରେ ଦଶାହ କର୍ମରେ ପ୍ରାୟ 30 ଜଣ ମୁଣ୍ଡନ ହୋଇଥିଲେ । ଏକାଦଶାହ କର୍ମରେ ସ୍କୁଲ ପଡ଼ିଆରେ ହରିନାମ ସଂକୀର୍ତ୍ତନ କରାଯାଇଥିଲା । ଦୁର୍ଘଟଣାକୁ ୬ମାସ ବିତିଥିଲେ ସୁଦ୍ଧା ସେଦିନର ଘଟଣା ଏବଂ ଲୋକଙ୍କ ଆର୍ତ୍ତ ଚିତ୍କାର ଏବେବି ସ୍ଥାନୀୟ ଲୋକଙ୍କ କାନରେ ବାଜୁଛି । ଟ୍ରେନ ହର୍ଣ୍ଣ ଶୁଭିଲେ ଲୋକଙ୍କ ଛାତି ଥରି ଉଠୁଛି । ସେହି ରେଳ ଲାଇନ ଦେଇ ଗଲାବେଳେ ଏବେବି ଭୟଭୀତ ହୋଇପଡୁଥିବା କହିଛନ୍ତି ଲୋକେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details