ବାଲେଶ୍ୱର: ଜିଲ୍ଲା ସୋର ଅଞ୍ଚଳରେ ରାସ୍ତା ସମସ୍ୟା ନେଇ ତେଜି ଉଠିଛି ଅସନ୍ତୋଷ । ସୋର ବାଗୁଡି ପିଡବ୍ଲ୍ୟୁଡି ରାସ୍ତା ନିର୍ମାଣର ପ୍ରତିଶୃତି ଦେଇ ପ୍ରତାରଣ କରିଥିବାରୁ ଗତକାଲି(ମଙ୍ଗଳବାର) ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦେଇଥିଲେ ସ୍ଥାନୀୟ ବାସିନ୍ଦା ଏବଂ ବାଗୁଡ଼ି ବଜାର କମିଟି ।
ସୂଚନା ଅନୁସାରେ, ସୋର ଗୋପୀନାଥପୁର ରାସ୍ତା ସୋର ଅଞ୍ଚଳ ବାସୀଙ୍କ ପାଇଁ ଦୁଃଖର କାରଣ ସାଜିଛି । ଏହି ରାସ୍ତା ଉପରେ ଛଅଟି ପଞ୍ଚାୟତବାସୀ ନିର୍ଭର କରୁଥିବା ବେଳେ ସୋରରୁ ଔପଦା ଏହା ମୁଖ୍ୟ ରାସ୍ତା । କିନ୍ତୁ ପୂର୍ବରୁ ଅଞ୍ଚଳବାସୀ ତରଫରୁ ଏହି ରାସ୍ତା ନିର୍ମାଣ ପାଇଁ ରାସ୍ତା ରୋକ ଏବଂ ଧାରଣା ହୋଇଥିବା ବେଳେ ତିନିମାସ ଭିତରେ ରାସ୍ତା କାର୍ଯ୍ୟ ଶେଷ କରାଯିବ ବୋଲି ପୂର୍ତ୍ତ ବିଭାଗ ଅଧିକାରୀ, ସୋର ବିଧାୟକଙ୍କ ସହ ପ୍ରଶାସନିକ ଅଧିକାରୀ ଲିଖିତ ପ୍ରତିଶୃତି ଦେଇଥିଲେ । ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତା କାର୍ଯ୍ୟ ଶେଷ ନହୋଇ କିଛିଟା କାମ ହୋଇ ପୁଣି ରାସ୍ତା କାମ ବନ୍ଦ ହୋଇ ରହିଛି । ଏହାକୁ ବିରୋଧ କରି ବାଗୁଡ଼ି ବଜାର କମିଟି ଏବଂ ଅଞ୍ଚଳବାସୀଙ୍କ ତରଫରୁ ରାସ୍ତା ଉପରେ ଧାରଣା ଓ ପ୍ରତିବାଦ କରାଯାଇଛି ।
ପ୍ରକାଶ ଥାଉକି, ଗତ ଡିସେମ୍ବର ମାସ 12 ତାରିଖରେ ଏହି ସମାନ ଦାବି ନେଇ ସୋର ବାଗୁଡ଼ି ମୁଖ୍ୟ ରାସ୍ତାର ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ଦାବିରେ ପାଞ୍ଚଟି ପଞ୍ଚାୟତର ଲୋକେ ଏକ ହୋଇ ବାଗୁଡ଼ି ଠାରେ ରାସ୍ତାରେ ବସି ଧାରଣା ଦେଇଥିଲେ । ଏହି ରାସ୍ତା ପାଇଁ ଏକବର୍ଷ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ କଷ୍ଟ ଭୋଗୁଛନ୍ତି ଅଞ୍ଚଳବାସୀ । ରାଜ୍ୟ ସରକାର ବାଗୁଡ଼ିରୁ କୋଟି କୋଟି ଟଙ୍କା ରାଜସ୍ବ ପାଉଥିଲେ ମଧ୍ୟ ଉକ୍ତ ଅଞ୍ଚଳର କୌଣସି ବିକାଶ ହେଉ ନଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।