ବାଲେଶ୍ୱର: ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା । ମଦ ମାଫିଆମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ମଦ ବ୍ୟବସାୟୀ । ସୋର ଥାନା ଆଇସ ଫ୍ୟାକ୍ଟ୍ରି ଛକରେ ଥିବା ଦେଶୀ ମଦ ଦୋକାନ ଆଗରେ ହିଁ ବ୍ୟବସାୟୀଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ମଦ ମାଫିଆ । ଆକ୍ରମଣରେ 2 ଜଣ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଖଣ୍ଡାସାହି ଗ୍ରାମର ଗଣେଶ ସିଂ ମଦ ବ୍ୟବସାୟ କରୁଥିବାବେଳେ କୌଣସି ଏକ କାମରେ ଆସି ମଦ ଦୋକାନ ସମ୍ମୁଖରେ ଛିଡ଼ା ହୋଇଥିଲେ । ସେହି ସମୟରେ ପୁରୁଣା ବାଲେଶ୍ୱର ଅଞ୍ଚଳର 2 ଜଣ ମଦ ମାଫିଆ ଅତର୍କିତ ଭାବରେ ଆସି ଗଣେଶ ସିଂଙ୍କୁ ଆକ୍ରମଣ କରିଥିଲେ । ଫଳରେ ଗଣେଶଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଏପରିକି ଗଣେଶଙ୍କ କାନ ମଧ୍ୟ ସମ୍ପୂର୍ଣ୍ଣ ଭାବେ କଟି ଯାଇଛି । ଖାଲି ସେତିକି ନୁହେଁ, ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।
ଏହା ବି ପଢନ୍ତୁ...ମଦ ମାଫିଆଙ୍କ ଉପରେ ଚଢ଼ାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ, ୪ ଗିରଫ
ତେବେ ମାଫିଆଙ୍କ ଆକ୍ରମଣରେ ଶିକାର ହୋଇ ଗଣେଶ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବର୍ତ୍ତମାନ ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଯୁବକ ଜଣକ ମଧ୍ୟ ଗୁରୁତର ହୋଇଛନ୍ତି । ଆକ୍ରମଣ ଫଳରେ ଯୁବକଙ୍କର ହାତ ମଧ୍ୟ କଟିଯାଇଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।