ବାଲେଶ୍ଵର: ସଦର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ବାଲେଶ୍ବରର ଦାୟିତ୍ବ ନେବା କଥା କହିଥିଲେ । ସେହି ସମୟରେ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦିଆଯିବା ନେଇ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । ହେଲେ ଆଜକୁ ଦୁଇବର୍ଷ ବିତିଯାଇଥିଲେ ସୁଦ୍ଧା ଭୂମିହୀନମାନଙ୍କୁ ଏଯାଏଁ ପଟ୍ଟା ଦିଆଯାଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଭୂମିହୀନଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ଗତକାଲି(ଗୁରୁବାର) ଏନେଇ ବାଲେଶ୍ଵର ସହରର 10 ନଂ ୱାର୍ଡରେ ରହୁଥିବା ଭୂମିହୀନମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ସୂଚନା ଅନୁସାରେ, 10ନଂ ୱାର୍ଡରେ ୫୦ରୁ ଉର୍ଦ୍ଧ୍ଵ ଭୂମିହୀନ ପରିବାର ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜମିପଟ୍ଟା ମିଳି ପାରିନାହିଁ । ଏନେଇ ସେମାନେ ନାନାଦି ହଇରାଣର ସମ୍ମୁଖୀନ ହେଉଛନ୍ତି । ଜମିପଟ୍ଟା ପାଇବା ପାଇଁ ସରକାରଙ୍କ ଜାଗା ମିଶନ ଜରିଆରେ ବାରମ୍ବାର ଆବେଦନ କରିଛନ୍ତି । ହେଲେ ଏଥିରେ କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଭୂମିହୀନମାନେ ଏକ ବିରାଟ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭୂମିହୀନଙ୍କୁ ଜମିପଟ୍ଟା ଆମର ଦାବି ବୋଲି ନାରା ଦେଇ ଯଥାଶୀଘ୍ର ଭୂମିହୀନମାନଙ୍କୁ ଜମି ପଟ୍ଟା ପ୍ରଦାନ ନିମନ୍ତେ ଦାବି କରିଥିଲେ। ଏହାସହ ଏ ସମ୍ପର୍କିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।
ଏହା ମଧ୍ଯ ପଢନ୍ତୁ: BJD Dubai Visit: ଅସନ୍ତୋଷ ବ୍ୟକ୍ତ କଲେ ନିତ୍ୟାନନ୍ଦ, 'ବିଜେଡି ସରକାରରେ ଅଫିସର ରାଜ ଚାଲିଛି'