ବାଲେଶ୍ବର:ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ସମ୍ପୃଦ୍ଧ କଳାକାରିଗରି ମଧ୍ୟରେ ଝୋଟର ରହିଛି ସ୍ବତନ୍ତ୍ର ସ୍ଥାନ । ନଳିତାରୁ ଝୋଟ ଓ ଝୋଟରୁ ବିଭିନ୍ନ ଘରୋଇ ଉପକରଣ ତିଆରି କରାଯାଏ । ଯାହାର ଚାହିଦା ଘରୋଇ ବଜାରରେ ଖୁବ୍ ଉଚ୍ଚା । ସମୟ ଥିଲା ନଳିତା ଚାଷ କରି ଚାଷୀମାନେ ଭଲ ଦି' ପଇସା ରୋଜଗାର କରିପାରୁଥିଲେ । ହେଲେ ସରକାରୀ ପ୍ରୋତ୍ସାହନ ଏବଂ ଇଚ୍ଛାଶକ୍ତିର ଅଭାବ ଏବେ ଝୋଟ ଚାଷୀଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି । ଦିନେ ଯେଉଁ ସରକାରୀ କଳକୁ ଝୋଟ ବିକ୍ରି କରି ଚାଷୀ ଲାଭବାନ ହେଉଥିଲେ ସେ କଳ ଦୀର୍ଘ ଦିନ ହେଲାଣି ବନ୍ଦ ପଡିଛି । ଯେଉଁ କାରଣରୁ ଚାଷୀ ବାଧ୍ୟ ହୋଇ ଦଲାଲ ଓ ସ୍ଥାନୀୟ ବ୍ୟବସାୟୀଙ୍କୁ କମ୍ ମୂଲ୍ୟରେ ଝୋଟ ବିକୁଥିବା କହିଛନ୍ତି ବାଲେଶ୍ବର ଜିଲ୍ଲା ବାଲିଆପାଳର ଝୋଟ ଚାଷୀ । ସେଥିପାଇଁ ଅନେକ ଚାଷୀ ଏହି ଚାଷପ୍ରତି ବିମୁଖ ହେଉଥିବା ଦେଖାଯାଉଛି ।
ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ମୃତ୍ତିକା ଏବଂ ଜଳବାୟୁ ନଳିତା ଚାଷ ପାଇଁ ବେଶ୍ ଅନୁକୂଳ । ତେଣୁ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ବାଲିଆପାଳ ବ୍ଲକର ଅସ୍ତି, କୁମ୍ଭାରୀ, ନୀଖିରା , ଶ୍ରୀରାମପୁର, ଦେଭୋଗ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ତା ଆଦି ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରେ ଚାଷୀମାନେ ନଳିତା ଚାଷ କରିଥାନ୍ତି । ନଳିତାରୁ ଉତ୍ପାଦିତ ହେଉଥିବା ଝୋଟ ପ୍ରଚୁର ପରିମାଣରେ ବାହାରକୁ ରପ୍ତାନୀ କରାଯାଉଥିଲା । ପ୍ରଚୁର ଉତ୍ପାଦନ କାରଣରୁ ବାଲେଶ୍ବର ସର୍ବବୃହତ ଝୋଟ ଉତ୍ପାଦନକାରୀ ବ୍ଲକ ଭାବେ ପରିଚୟ ପାଇଥିଲା ବାଲିଆପାଳ ।
ଏହାକୁ ଦୃଷ୍ଟିରେ ରଖି ଦୀର୍ଘ ୩୦ ବର୍ଷ ପୂର୍ବେ ଏଠାରେ କେନ୍ଦ୍ର ସରକାର ଏକ ଝୋଟ ସୋସାଇଟି ଖୋଲିଥିଲେ । ଚାଷୀ ଏହି ସୋସାଇଟିରେ ଝୋଟ ବିକି ଲାଭବାନ ହେଉଥିଲେ । ମାତ୍ର ଦୀର୍ଘ ୮ ବର୍ଷ ହେଲାଣି ଏହି ଝୋଟ ସୋସାଇଟି ବନ୍ଦ ପଡିଛି । ଯେଉଁ କାରଣରୁ ଚାଷୀ ବାଧ୍ୟ ହୋଇ କମ୍ ମୂଲ୍ୟରେ ଦଲାଲ ଓ ସ୍ଥାନୀୟ ବ୍ୟବସାୟୀଙ୍କୁ ଝୋଟ ବିକୁଛନ୍ତି । ସେପଟେ ଦଲାଲମାନେ ଜିଲ୍ଲାରେ ଥିବା ରୂପ୍ସା ଝୋଟ ମିଲ୍ ସମେତ ଧାନମଣ୍ତଳ ଝୋଟ ମିଲ୍ , ଢେଙ୍କାନାଳ ଝୋଟ ମିଲ୍ ଏବଂ ପଶ୍ଚିମବଙ୍ଗର କୋଲିକାତାକୁ ଏହି ଝୋଟ ରପ୍ତାନୀ କରି ଲାଭାବାନ ହେଉଛନ୍ତି । ହେଲେ କ୍ଷତି ସହି ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି ନିରୀହ ଚାଷୀ ।