ଓଡିଶା

odisha

By

Published : Mar 15, 2023, 9:38 PM IST

ETV Bharat / state

ପାଠ ପଢିବେ ନିରକ୍ଷର ଓ ବୟସ୍କ ବ୍ୟକ୍ତି, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ରୋଟାରୀ କ୍ଲବର ମିଳିତ ପଦକ୍ଷେପ

ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ବାଲେଶ୍ଵର ରୋଟାରୀ କ୍ଲବର ମିଳିତ ସହଯୋଗରେ ନିରକ୍ଷର ଓ ବୟସ୍କ ବ୍ୟକ୍ତିଙ୍କ ଶିକ୍ଷାଦାନ ପାଇଁ ୨୦ଟି ସ୍ୱାଭିମାନ ସାକ୍ଷରତା କେନ୍ଦ୍ର ଖୋଲାଯାଇଛି । ଯେଉଁଠାରେ ନିରକ୍ଷର ତଥା ବୟସ୍କ ଲୋକମାନେ ଶିକ୍ଷା ଗ୍ରହଣ କରିପାରିବେ । ଅଧିକ ପଢ଼ନ୍ତୁ

ପାଠ ପଢିବେ ନିରକ୍ଷର ଓ ବୟସ୍କ ବ୍ୟକ୍ତି
ପାଠ ପଢିବେ ନିରକ୍ଷର ଓ ବୟସ୍କ ବ୍ୟକ୍ତି

ବାଲେଶ୍ବର: ଆଜିର ସମାଜରେ ଥିବା ନିରକ୍ଷର ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଶିକ୍ଷାଦାନ ଜରୁରୀ ହୋଇଛି । ସମସ୍ତଙ୍କ ପାଇଁ ଶିକ୍ଷାର ଆବଶ୍ୟକତା ରହିଥିବା ବେଳେ ଏମାନଙ୍କ ପାଇଁ ସେଭଳି ସୁଯୋଗ ସୃଷ୍ଟି ହୋଇ ପାରୁନଥିଲା । ଏଥିପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ବାଲେଶ୍ଵର ରୋଟାରୀ କ୍ଲବର ମିଳିତ ସହଯୋଗରେ ନିରକ୍ଷର ଓ ବୟସ୍କ ବ୍ୟକ୍ତିଙ୍କ ଶିକ୍ଷାଦାନ ପାଇଁ ୨୦ଟି ସ୍ୱାଭିମାନ ସାକ୍ଷରତା କେନ୍ଦ୍ର ଖୋଲାଯାଇଛି । ଯେଉଁଠାରେ ନିରକ୍ଷର ତଥା ବୟସ୍କ ଲୋକମାନେ ଶିକ୍ଷା ଗ୍ରହଣ କରିପାରିବେ । ବୁଧବାର ଏହି କେନ୍ଦ୍ରର ଉଦ୍‌ଘାଟନ କରାଯାଇଛି ।

ପାଠ ପଢିବେ ନିରକ୍ଷର ଓ ବୟସ୍କ ବ୍ୟକ୍ତି

ଉଦଘାଟନ ସମାରୋହରେ ଫକୀରମୋହନ ବିଶ୍ଵବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରି କହିଛନ୍ତି, "ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ଏକ ସାର୍ଥକ ଜୀବନ ଯାପନ ପାଇଁ ଶିକ୍ଷାର ଆବଶ୍ୟକତା ବହୁତ ଅଧିକ ରହିଛି । ସେହିପରି ଫକୀରମୋହନ ବିଶ୍ଵବିଦ୍ୟାଳୟ ନୂଆନୂଆ ଉପାୟ ଅବଲମ୍ବନରେ ପ୍ରାଥମିକସ୍ତରରେ ଶିକ୍ଷାର ବିକାଶ ପାଇଁ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିଛି ।" ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ କହିଛନ୍ତି, "ଶିକ୍ଷାର ବିକାଶ ଓ ପ୍ରସାର ସହିତ ସବୁ ବର୍ଗର ଲୋକଙ୍କୁ ଶିକ୍ଷିତ କରାଇବାର ଉଦ୍ଦେଶ୍ଯ ନେଇ ରୋଟାରୀ କ୍ଲବର ସହଯୋଗରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ୨୦ଟି ସ୍ୱାଭିମାନ କେନ୍ଦ୍ରର ଶୁଭାରମ୍ଭ କରି ଶିକ୍ଷାର ମହତ ଉଦ୍ଦେଶ୍ୟକୁ ଆଗକୁ ନେଇଛି । ଯାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।" ବାଲେଶ୍ୱର ରୋଟାରୀ କ୍ଲବର ସଭାପତି ଇଞ୍ଜିନିୟର ସୌରଭ ବେହେରା କହିଛନ୍ତି, "୧୯୭୨ ମସିହାରୁ ଏଯାବତ ରୋଟାରୀ କ୍ଲବ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ।" ଫକୀର ମୋହନ ବିଶ୍ଵବିଦ୍ୟାଳୟ ସହିତ ବୟସ୍କ ଓ ନିରକ୍ଷରଙ୍କୁ ଶିକ୍ଷିତ କରାଇବାର ଦାୟିତ୍ଵ ହାତକୁ ନେଇଥିବାରୁ ଏହା ଗୌରବର ବିଷୟ ବୋଲି ସେ କହିଥିଲେ।

ପାଠ ପଢିବେ ନିରକ୍ଷର ଓ ବୟସ୍କ ବ୍ୟକ୍ତି

ରୋଟାରୀ କ୍ଲବର ସେକ୍ରେଟାରୀ ଶାନ୍ତନୁ ପାଣି ଫକୀରମୋହନ ବିଶ୍ଵବିଦ୍ୟାଳୟର ନିକଟବର୍ତ୍ତୀ ୬ ଗୋଟି ଗ୍ରାମକୁ ପ୍ରଥମେ ପ୍ରାଧାନ୍ୟ ଦେଇ ଏହି ବୟସ୍କ ଓ ନିରକ୍ଷରଙ୍କ ପାଇଁ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା କଥା କହିଥିଲେ । ଏହି ସ୍କିମ୍ ମାଧ୍ୟମରେ ଦକ୍ଷତା ବିକାଶ ଓ ଆତ୍ମନିଯୁକ୍ତି ବା ଆତ୍ମ ନିର୍ଭରଶୀଳତାକୁ ମଧ୍ଯ ଗୁରୁତ୍ଵ ପ୍ରଦାନ କରାଯାଇଛି ବୋଲି ସେ ମତ ଦେବା ସହିତ ଆସନ୍ତା ୬ ମାସ ମଧ୍ୟରେ ଏହି ସାକ୍ଷରତା କାର୍ଯ୍ୟକ୍ରମ ନିଶ୍ଚିତ ଫଳପ୍ରଦ ହେବ ବୋଲି କହିଥିଲେ । ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ବିଶ୍ୱଜିତ୍ ଘୋଷ କହିଥିଲେ, "ଏକ ନୂତନ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଏହି ସାକ୍ଷରତା ସ୍ୱାଭିମାନ କେନ୍ଦ୍ରର ମୂଳ ଲକ୍ଷ୍ୟ ।" ରୋଟାରୀ କ୍ଲବର ଅନ୍ୟତମ ସଦସ୍ୟ ଶେଖର ମେହେଟା କହିଥିଲେ, "କୌଣସି ନା କୌଣସି କାରଣରୁ ଗ୍ରାମାଞ୍ଚଳର ଲୋକେ ଶିକ୍ଷାଲାଭ କରିପାରି ନାହାନ୍ତି । ଏହା କ୍ଷୋଭର ବିଷୟ । ଚଳିତ ଶତାବ୍ଦୀରେ ସେମାନଙ୍କୁ ସାକ୍ଷର କରାଇ ନପାରିବା ଆହୁରି ଦୁଖଃର ବିଷୟ । ଏଥିପାଇଁ ଫକୀର ମୋହନ ବିଶ୍ଵବିଦ୍ୟାଳୟ ନିରକ୍ଷରଙ୍କ ପାଇଁ ବିଦ୍ୟାଳୟ ନଯାଇ ମଧ୍ଯ ଶିକ୍ଷିତ କରାଇବାର ପଦକ୍ଷେପ ହାତକୁ ନେଇଥିବାରୁ ଏହା ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ।"

ପାଠ ପଢିବେ ନିରକ୍ଷର ଓ ବୟସ୍କ ବ୍ୟକ୍ତି

ଏହି କାର୍ଯ୍ୟକ୍ରମରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ କହିଥିଲେ, "ସେ ଜଣେ ବି ହେଉ ଯଦି ନିରକ୍ଷର ଶିକ୍ଷିତ ହୋଇ ପାରିଲେ, ବିଶ୍ଵବିଦ୍ୟାଳୟ ନିଜର ଦକ୍ଷତା ପ୍ରତିପାଦିତ କରିପାରିବ । ବିଶ୍ଵବିଦ୍ୟାଳୟ ତାର ପରିସର ମଧ୍ୟରେ ସ୍ନାତକୋତ୍ତର ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରିବା ସମୟରେ ପାଚେରୀ ବାହାରେ ରହି ନିକଟବର୍ତ୍ତୀ ଗ୍ରାମର ଭାଇ ଭଉଣୀମାନେ କେବଳ ନୀରବଦ୍ରଷ୍ଟା ହୋଇ ଚାହିଁ ରହିବା ଆଦୌ ସ୍ପୃହଣୀୟ ନୁହେଁ ।" ଏଥିପାଇଁ କୁଳପତି ନିଜେ ପାଞ୍ଚ ଜଣଙ୍କୁ ଶିକ୍ଷା ଦାନ ଦେବେ ଏବଂ ଏହି କ୍ରମରେ ପ୍ରତ୍ୟେକ ଶିକ୍ଷକ ପାଞ୍ଚଜଣ ଲେଖାଏଁଙ୍କୁ ଶିକ୍ଷାଦାନ ଦେବାର ଦାୟିତ୍ୱ ଗ୍ରହଣ କରିବେ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ପ୍ରକାଶ କରିଥିଲେ । ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ପାଠ ପଢିବେ ନିରକ୍ଷର ଓ ବୟସ୍କ ବ୍ୟକ୍ତି

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details