ଓଡିଶା

odisha

By

Published : Mar 8, 2023, 9:43 AM IST

ETV Bharat / state

ଡିଜିଟାଲ ଯୁଗରେ ଭକ୍ତି ସାଗରରେ କୁନି ବାଳିକା ଇପ୍ସିତା, ନିଆରା ପ୍ରତିଭା ଦେଇଛି ନୂଆ ପରିଚୟ

ବାଲେଶ୍ଵର ସହର ବାଲିଆ ଅଞ୍ଚଳର ପ୍ରତିଭାମୟୀ କୁନି ବାଳିକା ଇପ୍ସିତା । ଅଳ୍ପ ବୟସରୁ ଅନର୍ଗଳ ଭଗବତ ଗୀତା ଓ ଶ୍ଲୋକ ଗାଇ ପ୍ରଶଂସା ସାଉଁଟିଛନ୍ତି ଇପ୍ସିତା । ଅଧିକ ପଢ଼ନ୍ତୁ

talented girl ipsita swain
ବାଲେଶ୍ଵରର ପ୍ରତିଭାମୟୀ କୁନି ବାଳିକା ଇପ୍ସିତା

ଡିଜିଟାଲ ଯୁଗରେ ଭକ୍ତି ସାଗରରେ କୁନି ବାଳିକା ଇପ୍ସିତା

ବାଲେଶ୍ବର:ଆଜିର ଡିଜିଟାଲ ଯୁଗରେ ପିଲାଙ୍କୁ ମୋବାଇଲ ନିଶା ଲାଗିଥିବାବେଳେ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ହୋଇ ପାରୁନାହିଁ । ପୌରାଣିକ କଥାବସ୍ତୁ, ଶ୍ଲୋକ, କବିତା ଆଦିକୁ ଆପଣାଉନାହାନ୍ତି ପିଲାମାନେ । ଆଧୁନିକ ଯୁଗରେ ଜଣେ ପଞ୍ଚମ ଶ୍ରେଣୀର କୁନି ବାଳିକା ସୋସିଆଲ ମିଡିଆ ଓ ମୋବାଇଲଠାରୁ ଦୂରରେ ରହି ଭକ୍ତିଭାବରେ ନିଜକୁ ବ୍ୟସ୍ତ ରଖୁଛନ୍ତି । ତାଙ୍କର ସକାଳ ଆରମ୍ଭ ହୁଏ ଭାଗବତ ଗୀତାରୁ । ଯାହା ପଢୁଛନ୍ତି ଅନର୍ଗଳ ଗାଇ ଚାଲୁଛନ୍ତି । ତାଙ୍କର ଏହି ବିସ୍ମୟୀ ପ୍ରତିଭା ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ଏମିତି ଜଣେ ପ୍ରତିଭାମୟୀ କୁନି ବାଳିକା ହେଉଛନ୍ତି ବାଲେଶ୍ଵର ସହର ବାଲିଆ ଅଞ୍ଚଳର କଞ୍ଜମଣି ସ୍ୱାଇଁ ଓ ଲକ୍ଷ୍ମୀପ୍ରିୟା ସ୍ବାଇଁଙ୍କ ଏକମାତ୍ର ଝିଅ ଇପ୍ସିତା ।

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ, ଠିକ ସେହିପରି ମାତ୍ର ଦୁଇବର୍ଷ ବୟସରେ ଇପ୍ସିତାଙ୍କ ପ୍ରତିଭା ସାମ୍ନାକୁ ଆସିଥିଲା । ସେତେବେଳେ ସେ ବିଭିନ୍ନ ବହିର ବିଷୟବସ୍ତୁ ପଢି ମୁଖସ୍ତ କରି ଦେଉଥିଲେ । ଏମିତିକି ଉକ୍ତ ବିଷୟ ଗୁଡିକ ସେ ଅନର୍ଗଳ ଭାବେ କହି ପାରୁଥିଲେ । ଏକ କାର୍ଯ୍ୟକ୍ରମରେ ଇପ୍ସିତା କୌଣସି ବିଷୟ ବସ୍ତୁ ଉପରେ ଅନର୍ଗଳ ଭାବେ ଉପସ୍ଥାପନା କରିବା ପରେ ବାପା କଞ୍ଜମଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଜ ଝିଅ ଭିତରେ ଏମିତି କଳା ଲୁଚି ରହିଥିବା ଜାଣି ତାଙ୍କୁ ପ୍ରୋତ୍ସାହନ କରିଥିଲେ ।

ଏକଦା ବହିର ବିଷୟ ବସ୍ତୁ ଗୁଡିକ ମୁଖସ୍ତ କରି ବହି ନଦେଖି ହିନ୍ଦୀ, ଓଡ଼ିଆ ଓ ଇଂରାଜୀରେ 20 ମିନିଟ ଭିତରେ ପ୍ରଥମ ପୃଷ୍ଠାରୁ ଶେଷ ପୃଷ୍ଠା ପର୍ଯ୍ୟନ୍ତ ଅନର୍ଗଳ କହି ଚାଲିଥିଲେ । ସେତେବେଳକୁ ଇପ୍ସିତାଙ୍କୁ ମାତ୍ର 3 ବର୍ଷ ହୋଇଥିଲା । ଆଉ ପ୍ରଥମଥର ପାଇଁ ସେ ପୁରସ୍କୃତ ହୋଇଥିଲେ । ସବୁବେଳେ କିଛି ନୂଆ ଶିଖିବାର ଇଚ୍ଛା ରଖିଥିବା ଇପ୍ସିତାଙ୍କ ବୟସ ବଢ଼ିବା ସହ ସେ ଧୀରେଧୀରେ ଅଧିକରୁ ଅଧିକ ଶିଖିବା ପାଇଁ ଚେଷ୍ଟା କରିଥିଲେ । ଏଥିପାଇଁ ସେ ୟୁଟ୍ୟୁବର ସାହାରା ନେଇଥିଲେ। ସେଥିରୁ ଦେଖିଦେଖି ଇପ୍ସିତା ନାଚିବା ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ ୟୁଟ୍ୟୁବରୁ ଗୀତ ଓ ଚିତ୍ରାଙ୍କନ ଶିଖିବା ମଧ୍ୟ ଆରମ୍ଭ କରିଥିଲେ । ପାଖରେ କାଗଜ ପାଇଲେ ମନର ଭାବନା ପ୍ରକାଶ କରି କିଛି ନା କିଛି ଆଙ୍କି ଦିଅନ୍ତି । ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନିଅନ୍ତି ନାହିଁ । ସବୁଠୁ ବଡ଼କଥା ହେଲା ଇପ୍ସିତା ବହୁତ ଭଲ ଭାବେ ମଞ୍ଚ ଉପସ୍ଥାପନା କରି ପାରନ୍ତି । ଭଗବାନଙ୍କ ନାଁ ନେଇ ସେ ଆରମ୍ଭ କରିଥାନ୍ତି ମଞ୍ଚ ଉପସ୍ଥାପନା । ବିଭିନ୍ନ ଶ୍ଳୋକ ମୁଖସ୍ଥ କରି ତାର ଅର୍ଥ ମଧ୍ୟ ବୁଝାଇ ପାରୁଛନ୍ତି ।


ଇପ୍ସିତା ଯେତେବେଳେ 8 ବର୍ଷ ବୟସରେ ହୋଇଥିଲେ ସେତେବେଳେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିଥିଲେ । କମ୍ପୁଟରରେ ଓଡ଼ିଆ ଟାଇପ ଶିଖିବା ପାଇଁ ଜଣେ ଶିକ୍ଷୟିତ୍ରୀ ତାଙ୍କୁ ଶିକ୍ଷାଦାନ କରିଥିଲେ । ଏହାପରେ ଇପ୍ସିତା ନିଜେ ନିଜେ କମ୍ପ୍ୟୁଟରରେ ଅଭ୍ୟାସ କରି ଓଡ଼ିଆ ଟାଇପ କରିପାରୁଛନ୍ତି । କିଛି ପତ୍ରିକା ପାଇଁ ଓଡ଼ିଆ ଟାଇପ କରି ଇପ୍ସିତା ମାସକୁ 3 ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି । ବିସ୍ମୟୀ ପ୍ରତିଭାରେ ପରିପୂର୍ଣ୍ଣ ଇପ୍ସିତା ଅନେକ ପ୍ରତିଯୋଗିତାରେ ଭାଗ ନେଇ କୃତୀତ୍ତ୍ବ ଲାଭ କରିଛନ୍ତି ।

ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି । ସଂଗଠନମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ନିଜର ତେଜସ୍ୱିନୀ ଭାଷଣ ଓ ଶ୍ଳୋକ ପାଠ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରଶଂସାର ପାତ୍ର ହୋଇଛନ୍ତି ଇପ୍ସିତା । ଝିଅର ଏହି ସଫଳତା ନେଇ ପରିବାର ଲୋକେ ମଧ୍ୟ ବେଶ ଖୁସ । କଅଁଳ ବୟସରୁ କିଛି ନୁଆଁ କରି ଦେଖାଇବାର ଆଶା ଆଜି ଇପ୍ସିତାଙ୍କୁ ଏକ ନୂଆ ପରିଚୟ ଦେଇଛି । ଆଗକୁ ତାଙ୍କ ପ୍ରତିଭା ନେଇ, ସେ ଆହୁରି ସଫଳତା ପାଇବେ ତାର ସନ୍ଦେହ ନାହିଁ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details