ବାଲେଶ୍ବର: ସମୟ ବେଳେବେଳେ ମଣିଷକୁ ଦାସ କରି ଦେଇଥାଏ। ଶେଷରେ ଅସହାୟ ହୋଇ ଭଗବାନଙ୍କ ଉପରେ ଭରସା କରିବା ବ୍ୟତୀତ ଆଉ କିଛି ବାଟ ନଥାଏ । ପରିବାରର ଏକ ମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଯେବେ ଶଯ୍ୟାଶାୟୀ ହୋଇଯାଏ ସେତେବେଳେ ପୁରା ପରିବାର ନିରୁପାୟ ହୋଇ ଯାଆନ୍ତି । ପ୍ରତିଦିନ ସଂଘର୍ଷ ଭିତରେ ବଞ୍ଚିବାକୁ ପଡିଥାଏ । ଓଳିଏ ଖାଇଲେ ଓଳିଏ ଓପାସ ରହି ଜୀବନ ସହ ଯୁଝି ହେଉଛନ୍ତି ପରିବାର । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଚିତ୍ତଳ ଗ୍ରାମର କମଳାକାନ୍ତ ଜେନାଙ୍କ ପରିବାର କଥା । ପକ୍ଷାଘାତ ଓ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ 6 ମାସ ହେବ କୋମାରେ ପଡି଼ଛନ୍ତି ।
କମଳାକାନ୍ତ ଜଣେ ଯାତ୍ରା ବାଦକ । ଆଜିକୁ ୬ ମାସ ହେଲା ସେ କୋମା ଅବସ୍ଥାରେ ରହିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହେବା ପରେ ତାଙ୍କର ଦୁଇ ପୁଅ ଓ ଏକମାତ୍ର ଝିଅର ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଛି। ଦାରିଦ୍ର୍ୟର ତାଡନାରେ କମଳାକାନ୍ତଙ୍କ ପରିବାର ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ଯାତ୍ରା ଜଗତରେ ଜଣେ ଭଲ ବାଦ୍ୟଯନ୍ତ୍ର କଳାକାର ଭାବେ ସେ ଜଣାଶୁଣା । ଅଷ୍ଟଶମ୍ଭୁ ଓମଶ୍ରୀ, ପାରିଜାତ, ଜଗାବଳିଆ, ପଲ୍ଲୀଶ୍ରୀ ଭଳି ଯାତ୍ରାପାର୍ଟିରେ ବାଦ୍ୟ କଳାକାର ଭାବେ କାମ କରିଛନ୍ତି । ଏଥିରୁ ଯାହା ଦୁଇପାଇସା ରୋଜଗାର ହୁଏ ସେଥିରେ କମଳାକାନ୍ତଙ୍କ ପରିବାର ଦୁଃଖକଷ୍ଟେ ଚଳି ଯାଉଥିଲେ । ପରିବାର କହିଲେ ପତ୍ନୀ ମିନତୀ, ଦୁଇ ପୁଅ ନିରାକାର, ସାଇ ଓମ୍କାର ଓ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ।
ଗତ ଜୁଲାଇ ମାସରେ କମଳାକାନ୍ତ ହଠାତ ନିଜ ଘର ଅଗଣାରେ ପଡ଼ି ଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଅନନ୍ତପୁର ଡାକ୍ତରଖାନା ଓ ସେଠାରୁ କଟକ ବଡ଼ ଡାକ୍ତରଖାନା ନେଇ ଯାଇଥିଲେ। ପରୀକ୍ଷା ପରେ ସେ ପକ୍ଷାଘାତ ଓ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା । ୨୦ ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ପରେ ପରିବାର ଲୋକେ ଅର୍ଥାଭାବରୁ ତାଙ୍କୁ ଘରକୁ ନେଇ ଆସିଥିଲେ। ସେହି ଦିନଠାରୁ କମଳାକାନ୍ତ କାହାରି କଥା ବୁଝି ପାରୁନାହାନ୍ତି କି କିଛି କହି ପାରୁନାହାନ୍ତି। ପାଟିରେ ଖାଇ ପାରୁନଥିବାରୁ ନଳୀ ଦ୍ବାରା ନାକ ବାଟେ ଯାହା କିଛି ତରଳ ଖାଦ୍ୟ ଦିଆଯାଉଛି ।
କମଳାକାନ୍ତଙ୍କ ପରିବାର ଏବେ ଘୋର ଆର୍ଥିକ ସଂକଟରେ ଗତି କରୁଛି। ବଡ଼ପୁଅ ନିରାକାର ସ୍ଥାନୀୟ ଅନନ୍ତପୁର ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷବର୍ଷ ଛାତ୍ର ହୋଇଥିବା ବେଳେ ଅର୍ଥାଭାବରୁ ପାଠପଢ଼ା ଛାଡ଼ି କାମ ସନ୍ଧାନରେ ଭୁବନେଶ୍ବର ଯାଇଛନ୍ତି । ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ହୋଇଥିବା ବେଳେ ସାନପୁଅ ଅଷ୍ଟମ ଶ୍ରେଣୀର ଛାତ୍ର। ମୁଣ୍ଡ ଗୁଞ୍ଜିବା ପାଇଁ ଏହି ଅଭାବୀ ପରିବାର ପାଖରେ ଘର ଖଣ୍ଡେ ବି ନାହିଁ। ଏମିତି ପରିସ୍ଥିତିକୁ ଦେଖି ସୋର ଅଞ୍ଚଳର ଆଦର୍ଶ ଯୁବ ପରିଷଦର ସଦସ୍ୟମାନେ କମାଳାକାନ୍ତଙ୍କ ପରିବାର ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇଥିଲେ। ଭଙ୍ଗା ଚାଳିଆରେ ଜୀବନ ବଞ୍ଚିବାର ରାହା ଖୋଜୁଥିବା ଏହି ପରିବାରକୁ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି । କେହି ବଦାନ୍ୟ ବ୍ୟକ୍ତି ଯଦି ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହୁଛନ୍ତି, ତେବେ ନିମ୍ନରେ ତାଙ୍କ ବ୍ୟାଙ୍କ ଖାତାର ବିସ୍ତୃତ ବୀବରଣୀ ଦିଆଯାଇଛି ।