ବାଲେଶ୍ବର:ଲୋକଙ୍କ ପାଇଁ କାଳ ସାଜୁଛି ଶିଳ୍ପ ସଂସ୍ଥା । କାରଖାନାରୁ ନିର୍ଗତ ବର୍ଜ୍ୟ ପାଣି ନଦୀର ମିଶି ଚାଷୀଙ୍କ ଜୀବିକା ଉଜାଡୁଛି । କେମିକାଲ ମିଶା ପାଣି ଯୋଗୁଁ ନଦୀରେ ମାଛଗୁଡିକୁ ମରିଯାଉଥିବାବେଳେ ଏହି ପାଣି ପିଇ ଜୀବଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଛି । ରାଜ୍ୟରେ ବିକାଶ କ୍ଷେତ୍ରରେ ଶିଳ୍ପର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବା ବେଳେ ବିକାଶ ପଛରେ ଅନେକ କ୍ଷତି ସହୁଛନ୍ତି ସାଧାରଣ ଲୋକେ । ବାଲେଶ୍ବର ଜିଲ୍ଲାରୁ ଏଭଳି କିଛି ଅଭିଯୋଗ ଆସିଛି । ରେମୁଣା ଅଞ୍ଚଳରେ ଥିବା ଶିଳ୍ପ ପ୍ରତିଷ୍ଠାନଗୁଡିକ ଗାଇଡ଼ ଲାଇନ ଉଲ୍ଲଙ୍ଘନ କରିବା ସହ ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ସାଜିଥିବା ଅଭିଯୋଗ ହୋଇଛି ।
ବାଲେଶ୍ବର ଜିଲ୍ଲା ରେମୁଣା NAC ସ୍ଥିତ ୧ନମ୍ବର ଓ୍ବାର୍ଡ ବାଲଗୋପଳପୁରରେ ଏକ ବୃହତ ଶିଳ୍ପ କାରଖାନା ରହିଛି । ଉକ୍ତ ଶିଳ୍ପ କାରଖାନାରୁ ବାହାରୁ ଥିବା କେମିକାଲ ମିଶା ପଚା, ସଢା ବର୍ଜ୍ୟବସ୍ତୁ ସିଧାସଳଖ ନୂଆପଡ଼ା ସିରେଇପୁର ଗ୍ରାମ ଦେଇ ସୋନ ନଦୀରେ ମିଶୁଛି । ଯେଉଁ କାରଣରୁ ନଦୀ ଜଳ ବିଷାକ୍ତ ହେଉଛି । ସିରେଇପୁର ଗ୍ରାମରେ ପ୍ରାୟ ୧୦୦ ପରିବାର ବସବାସ କରନ୍ତି । କାରଖାନାର ବିଷାକ୍ତ ପାଣିରେ ସେମାନଙ୍କର ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଶିଳ୍ପ କାରଖାନା ମାଲିକମାନେ ମାଟିତଳୁ ଲକ୍ଷ ଲକ୍ଷ ଲିଟର ଜଳ ଉଠାଇ ନିଜ କାର୍ଯ୍ୟରେ ଲଗାଉଥିବାରୁ ଗ୍ରାମର ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏଥିପାଇଁ ଏବେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି ।