ବାଲେଶ୍ବର: ଜିଲ୍ଲାରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ପିଟିପଟି ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଡା ପଞ୍ଚାୟତ ଛତ୍ରପୁର ଗ୍ରାମରେ । ସ୍ତ୍ରୀକୁ ବାଡ଼ିରେ ପିଟି ସ୍ୱାମୀ ହତ୍ୟା କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର କୁନି ସିଂ ଓ ସ୍ବାମୀ ବୀର ସିଂ ନିକଟ କଳାଶୁଣି ଛକରେ ଥିବା ମଦ ଦୋକାନକୁ ମଦ ପିଇବା ପାଇଁ ଯାଇଥିଲେ । ଅତ୍ୟଧିକ ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ମାଡପିଟ ଓ ଝଗଡା ହୋଇଥିଲା । ଯାହା ଫଳରେ ସ୍ୱାମୀ ବୀର ସ୍ତ୍ରୀକୁ ବାଡ଼ି ଓ ଛତା ବେଣ୍ଟରେ ପିଟି ହତ୍ୟା କରିଥିଲା । ହତ୍ୟା କରିବା ପରେ ସ୍ତ୍ରୀକୁ ଘୋଷାରି ଘୋଷାରି ବିଲ ମଝିରେ ଫିଙ୍ଗି ପଳାଇଯାଇଥିଲା । ଏନେଇ ଆଜି ସକାଳେ ବିଲ ମଝିରେ କୁନି ସିଂର ମୃତଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଖବରଶୁଣି ଘଟଣା ସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା । ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସ୍ୱାମୀ ବୀରକୁ ଅଟକ ରଖିଛି ।
ଅନ୍ୟପଟେ ଘଟଣା ସ୍ଥଳରେ ମୃତଦେହ ପଡିଥିବା ବେଳେ ବାଲେଶ୍ଵର ସାଇଣ୍ଟିଫିକ ଟିମ ତଦନ୍ତ କରିବା ନେଇ ସୂଚନା ମିଳିଛି । ତେବେ ଅନେକ ସମୟରେ ମଦ ସଂସାର ଉଜାଡୁଥିବା ଅଭିଯୋଗ ହେଉଥିବା ବେଳେ ଏବେ ପୁଣି ଏହି ଘଟଣା ପାଇଁ ମଦକୁ ହିଁ ଦାୟୀ କରାଯାଇଛି । ଗାଁ ଗାଁରେ ଚୋରାମଦ ବେପାରୀଙ୍କ ସଂଖ୍ୟା ବଢୁଥିବା ବେଳେ ନିରୀହ ଆଦିବାସୀମାନେ ଏଥିରେ ବଳି ପଡୁଛନ୍ତି । ଗାଁ ଗହଳିରେ ବିଶେଷ କରି ଦେଶୀ ମଦ କାରବାର ଓ ବିଷାକ୍ତ ମଦ କାରବାର ଯୋଗୁଁ ଅନେକ ସମୟରେ ବହୁ ସଂସାର ଉଜୁଡି ଯାଉଛି । ଏହାରି ଭିତରେ ସେହି ମଦ ପିଇବା ପରେ ସ୍ବାମୀ ସ୍ତ୍ରୀ ଭଳି ଏକ ପବିତ୍ର ସମ୍ପର୍କ ଆଜି ରକ୍ତ ରଞ୍ଜିତ ହୋଇଛି । ମଦ ପାଇଁ ଶେଷରେ ଏକ ସଂସାର ଭାଙ୍ଗି ଯାଇଛି । ତେବେ ଏ ଦିଗରେ ପ୍ରଶାସନିକ ସ୍ତରରେ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।