ବାଲେଶ୍ଵର: ଜିଲ୍ଲାରେ କ୍ରମାଗତ ଭାବେ ଶିଳ୍ପର ଅବକ୍ଷୟ ହେବା ସହ ନୂତନ ଶିଳ୍ପ ସଂସ୍ଥାର କୌଣସି ପ୍ରୋତ୍ସାହନ ନଥିବାରୁ ନିଯୁକ୍ତି କ୍ଷେତ୍ରରେ ଅନେକ ସମସ୍ୟା ହେଉଛି । ଅନେକ ଶିଳ୍ପସଂସ୍ଥା ବନ୍ଦ ହୋଇ ପଡ଼ିଛି । ହଜାର ହଜାର କର୍ମଚାରୀ ରୋଜଗାର ହରାଇ ଏବେ ବେଉସା ବଦଳାଇଲେଣି । ଏହାକୁ ନେଇ ବାଲେଶ୍ଵରର ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ କର୍ମୀମାନେ ଏକଜୁଟ ହୋଇଛନ୍ତି । ବନ୍ଦ ପଡ଼ିଥିବା ଶିଳ୍ପର ପୁନଃକାର୍ଯ୍ୟକ୍ଷମ ଓ ନୂଆ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।
ସୂଚନା ଅନୁସାରେ, ୯୦ ଦଶକରେ ସାରା ଓଡ଼ିଶାରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ପ୍ରକୃତ ରୂପରେଖ ବାଲେଶ୍ଵରରେ ହିଁ ହୋଇଥିଲା। ଫଳ ସ୍ଵରୂପ ଭାରତର ବହୁ ନାମୀଦାମୀ କମ୍ପାନିର ବ୍ୟବସାୟୀ ପ୍ରତିଷ୍ଠାନ ଏହି ଜିଲ୍ଲାରେ ଆରମ୍ଭ ହେବାକୁ ଲାଗିଲା । ସେଥିରେ ବିର୍ଲା ଟାୟର୍ସ, ଇସ୍ପାତ ଏଲୋୟଜ୍ ଲି, ଇମାମୀ ପେପର ମିଲ୍ସ ଭଳି ବହୁ ସଂସ୍ଥା ନିଜର ବ୍ୟବସାୟ ଆରମ୍ଭ କରିଥିବାବେଳେ ଓରି ପ୍ଲାଷ୍ଟ (Ori-plast), ଏଲପିଜି ବୋଲ୍ଟିଙ୍କ ପ୍ଲାଣ୍ଟ (LPG Bottling Plant) ଓ ବହୁତ କୁଟୀରଶିଳ୍ପ ମଧ୍ୟ ବାଲେଶ୍ଵରରେ ପାଦ ଥାପିଥିଲେ। ଏହାଦ୍ୱାରା ବାଲେଶ୍ଵର ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ଼ ହୋଇ ପାରିଥିଲା। ମାତ୍ର ଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ଵ ହେବ ଉକ୍ତ ଶିଳ୍ପ ସଂସ୍ଥା ଗୁଡିକ ଅବକ୍ଷୟ ହେବାକୁ ବସିଛି ।