ବାଲେଶ୍ୱର:ଶ୍ରୀଜଗନ୍ନାଥ ମନ୍ଦିରରେୟୁଟ୍ୟୁବର କମିଆ ଜାନିଙ୍କ ପ୍ରବେଶକୁ ନେଇ ବଢୁଛି ବିବାଦ । ସରକାରଙ୍କୁ ବିରୋଧୀ ଘେରିଥିବା ବେଳେ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ପ୍ରତିବାଦ ଆରମ୍ଭ ହୋଇଛି । ଏହାରି ଭିତରେ ବୁଧବାର ବାଲେଶ୍ୱରରେ ପ୍ରତିବାଦ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଶାଖା । ଶ୍ରୀଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କୁ କଠୋର ଦଣ୍ଡ ଦାବି କରିଛି ସଂଘ । ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁମାନଙ୍କର ପରମ ଆରାଧ୍ୟ, ଶ୍ରୀମନ୍ଦିର ହେଉଛି ଅସ୍ଥା, ବିଶ୍ଵାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଏବଂ ଜଗନ୍ନାଥ ସଂସ୍କୃତି ହେଉଛି କୋଟି ଓଡ଼ିଆଙ୍କ ପରିଚୟ । ସରକାରକୁ ପରିଚାଳିତ କରୁଥିବା କିଛି ଅଣଓଡ଼ିଆ ବ୍ୟକ୍ତିବିଶେଷ ଏବଂ ଅନ୍ୟ କିଛି ନ୍ୟସ୍ତସ୍ଵାର୍ଥ ଓଡ଼ିଆ ଗୋଷ୍ଠୀଙ୍କ ହୀନ ଚକ୍ରାନ୍ତ କାରଣରୁ ଜଗନ୍ନାଥ ସଂସ୍କୃତିର ଘୋର ମର୍ଯ୍ୟାଦାହାନୀ ହେଉଥିବା ଅଭିଯୋଗ ହୋଇଛି ।
ୟୁଟ୍ୟୁବର କମିଆ ଜାନିଙ୍କ ଗୋମାଂସ ଖାଇବା ଏବଂ ଶ୍ରୀମନ୍ଦିର ପ୍ରବେଶକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ ହେଉଥିବା ବେଳେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ମଧ୍ୟ ଏହାକୁ ବିରୋଧ କରିଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ କୁଠାରଘାତ ହୋଇଥିବା କୁହାଯାଇଛି । ହଜାର ହଜାର ବର୍ଷ ପରମ୍ପରାର ପ୍ରତୀକ ଶ୍ରୀମନ୍ଦିର ଏବଂ ଏହାର ମହାପ୍ରସାଦ କୋଟି କୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ପ୍ରସାଦ ହୋଇଥିବା ବେଳେ ଏହାର ପ୍ରଚାର ପ୍ରସାର କେବଳ ଲୋକ ଦେଖାଣିଆ ବୋଲି ଅଭିଯୋଗ କରିଛି ସଂଘ । ଗୋମାଂସ ଭକ୍ଷଣର ପ୍ରଚାରକାରୀଙ୍କ ଦ୍ବାରା ପ୍ରଚାର କରିବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରାଯାଇଛି । ଏମିତିକି ମଧ୍ୟରାତ୍ରରେ ଶ୍ରୀମନ୍ଦିର ଖୋଲା ରଖିବା ଘୋଷଣା ମନ ଭିତରେ ଥିବା ସନ୍ଦେହକୁ ଆହୁରି ବଢାଇ ଦେଉଛି । ଏହା କୌଣସି ଏକ ବୃହତ୍ ଏଜେଣ୍ଡା ଅନ୍ତର୍ଭୁକ୍ତ ବୋଲି ଅଭିଯୋଗ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...ପରିକ୍ରମା ପ୍ରକଳ୍ପ ପାଇଁ ଦାରୁକ୍ଷେତ୍ର ଓ ଅନନ୍ତ ପୁରୁଷୋତ୍ତମ ଦେବଙ୍କୁ ନିମନ୍ତ୍ରଣ