ବାଲେଶ୍ବର: ବାହାନଗା ସ୍କୁଲ୍ ଭାଙ୍ଗିବା ନେଇ ଖୁବଶୀଘ୍ର ନିଷ୍ପତି ନେବ ଗଣଶିକ୍ଷା ବିଭାଗ । ଲଗାତର ଦୁଇ ଦିନ ଧରି 2ଟି କମିଟି ବିଦ୍ୟାଳୟକୁ ଯାଇ ଯାଞ୍ଚ କରିଛନ୍ତି । ଏହି ଟିମ୍ରେ ଉପରିସ୍ଥ ଅଧିକାରୀଙ୍କ ସମେତ ସ୍ଥାନୀୟ ଜିଲ୍ଲାପାଳ ମଧ୍ୟ ସାମିଲ ରହିଛନ୍ତି । ଗଣଶିକ୍ଷା ସଚିବ କହିଛନ୍ତି ଯେ, ଅନେକ ଛାତ୍ରଛାତ୍ରୀ ଚିନ୍ତାରେ ଥିବା ଜାଣିବାକୁ ମିଳିଛି । ତେଣୁ ପ୍ରଥମେ ସ୍ଥାନୀୟ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କାଉନସେଲିଂ କରାଯିବ। ବିଭାଗ ପକ୍ଷରୁ ସାଇକୋ କାଉନସେଲିଂ ପାଇଁ ଏକ ଟିମ୍ ପଠାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ ଅଶ୍ୱଥୀ ।
ସ୍କୁଲ ଭାଙ୍ଗିବା ସମ୍ପର୍କରେ ସେପରି କୌଣସି ନିଷ୍ପତି ହୋଇନି । କମିଟି ରିପୋର୍ଟ ଆଧାରରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏସ ଅଶ୍ୱଥୀ । ଏହାସହ ଶିକ୍ଷା ଭିତ୍ତିଭୂମି ଦୃଷ୍ଟିରୁ ରାଜ୍ୟରେ ସ୍କୁଲ ସଂଖ୍ୟା ବଢାଯିବ । 106ଟି ସ୍କୁଲ୍ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅନେକ ସ୍କୁଲ୍ରେ ଆଡମିଶନ ପାଇଁ ବିଭାଗକୁ ଜଣାଇ ଦିଆଯାଇଛି । ତେବେ ଏହି ସମସ୍ତ ସ୍କୁଲ୍ର ସମୀକ୍ଷା ପରେ ପଦକ୍ଷେପ ନିଆଯିବ । ଆଗକୁ ଏହି ନମ୍ବର ବଢିପାରେ ବୋଲି କହିଛନ୍ତି ସଚିବ । ଅନ୍ୟପଟେ ଧନ୍ଦାମୂଳକ ଶିକ୍ଷାକୁ ବର୍ତ୍ତମାନ ଅଧିକ ଗୁରୁତ୍ଵ ଦିଆଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରକାଶ କରିଛନ୍ତି ।