ବାଲେଶ୍ବର:କଥାରେ ଅଛି ନା ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁ କୁଟୁମ୍ବଙ୍କ ସାଙ୍ଗରେ ନେଇ ଆସେ । ଠିକ ସେମିତି ଦଇବର ନିଷ୍ପତ୍ତି ଆଗରେ ଏ ମଣିଷ ବା କଣ କରିପାରେ । ଗୋଟିଏ ପରିବାର ଦୁଇ ଓଳି ଭଲରେ ଖାଇବାକୁ ପାଉ ନଥିବା ବେଳେ ଏବେ ପୁରା ପରିବାର ବେସାହାରା ହୋଇ ଅନ୍ୟର ହାତକୁ ଚାହିଁ ବସିଛନ୍ତି । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଦିଗିଦା ଗ୍ରାମର ଅଶୋକ କୁମାର ନାୟକଙ୍କ ପରିବାରର କଥା ।
ଅଶୋକଙ୍କ ପରିବାରରେ ଜନ୍ମରୁ କେହି ବି ଦୃଷ୍ଟିବାଧିତ ନଥିଲେ । ବରଂ ବିଭିନ୍ନ ରୋଗ ଆକ୍ରାନ୍ତ ପରେ ଏବେ ପରିବାର ସାରା ହରାଇ ବସିଛନ୍ତି ଦୃଷ୍ଟିଶକ୍ତି । ଏମିତିକି ଏହି ଦମ୍ପତିଙ୍କ କୋଳକୁ ଆସିଥିବା ଶିଶୁ କନ୍ୟାଟି ମଧ୍ୟ ମାତ୍ର 4 ବର୍ଷ ବୟସରେ କର୍କଟ ରୋଗରେ ପୀଡିତ ହୋଇ ଦୃଷ୍ଟିଶକ୍ତି ହରାଇଥିବା ପରିବାର ଲୋକେ କହିଛନ୍ତି । କୁନି ଝିଅଟିର ଅତ୍ୟାଧୁନିକ ଉପାୟରେ ଚିକିତ୍ସା କରାଇଲେ ସେ ଦୁନିଆ ଦେଖି ପାରିବ ବୋଲି ଡାକ୍ତର କହୁଥିବା ବେଳେ ଏଥିପାଇଁ ପ୍ରାୟ 15 ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗରିବ ପରିବାର ବଞ୍ଚିବାର ରାହା ଖୋଜୁଥିବା ବେଳେ ଏତେ ଟଙ୍କା କେଉଁଠୁ ଆଣିବେ ଓ କିପରି ଚିକିତ୍ସା କରାଇବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ।
ସୂଚନା ଅନୁଯାୟୀ, ଅଶୋକ ବାଲେଶ୍ୱର ସହର ଛାଡି ପୁରୀ ଅଞ୍ଚଳକୁ ରୋଜଗାର ଆଶାରେ ଯାଇଥିଲେ । ସେଠାରେ ପିପିଲି ଥାନା ମଙ୍ଗଳପୁରରେ ଏକ ଭଡା ଘରେ ରହୁଛନ୍ତି ଅଶୋକଙ୍କ ସମେତ ତାଙ୍କ ପତ୍ନୀ ସୁମିତ୍ରା ନାୟକ ଓ କୁନିଝିଅ । ପିପିଲି ବଜାରରେ ଖବରକାଗଜ ବିକ୍ରି କରି ଯାହା ଦୁଇ ପଇସା ରୋଜଗାର କରନ୍ତି ସେଇଥିରେ ପରିବାର ଚଳେ।