ବାଲେଶ୍ବର: ଆଜିର ଦିନରେ କେତେକ ସାମାଜିକ ଅନୁଷ୍ଠାନ ଏବଂ କିଛି ବ୍ୟକ୍ତିବିଶେଷ ଅନେକ ମହତ୍ କାମ ହାତକୁ ନେଉଥିବା ଦେଖିବାକୁ ମିଳୁଛି । ଅଧିକାଂଶ ସ୍ଥାନରେ ସାମାଜିକ ଅନୁଷ୍ଠାନଗୁଡିକର ପ୍ରୟାସ ଯୋଗୁଁ ଲୋକମାନେ ସୁବିଧା ସୁଯୋଗ ପାଇ ପାରୁଛନ୍ତି । କେତେବେଳେ କେଉଁ ଅସହାୟଙ୍କ ପାଖରେ ପହଞ୍ଚି ଘର ମରାମତି କରି ଦିଆଯାଉଛି ତ ପୁଣି କେତେବେଳେ କେଉଁ ଅସହାୟଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇ ଦେଇ ଏହି ଅନୁଷ୍ଠାନଗୁଡିକ ସାଉଁଟୁଛନ୍ତି ପ୍ରଶଂସା । ସେହିପରି ବାଲେଶ୍ଵରର ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ସୋସାଇଟି ଦ୍ୱାରା ଜଣେ ଦିବ୍ୟାଙ୍ଗ ଶିଶୁର ଚିକିତ୍ସା କରାଇବା ସହ ତାର ସମସ୍ତ ଦାୟିତ୍ୱ ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ବାଲେଶ୍ଵର ପୌରପାଳିକା ଅନ୍ତର୍ଗତ ୧୦ ନଂ ୱାର୍ଡ ରାମେଶ୍ବର ନଗରର ୫ ବର୍ଷୀୟା କୁନି ଝିଅ ଡି. ହଂସିକା । ଜନ୍ମରୁ ସେ ଦିବ୍ୟାଙ୍ଗ । ପରିବାର ପାଖରେ ଟଙ୍କାର ଅଭାବ ଯୋଗୁଁ କୁନି ଝିଅର ଚିକିତ୍ସା ଠିକ୍ ଭାବରେ ହୋଇପାରୁନାହିଁ । ପିଲାଟିର ଦୁଇଟିଯାକ ଗୋଡ ଅଚଳ ରହିଛି । ଏଥିପାଇଁ ଚିକିତ୍ସା ନିମନ୍ତେ ପ୍ରତ୍ୟେକ ଦିନ ଫିଜୋଥୋରପିରେ ୩୦୦ ଟଙ୍କା ଦରକାର ହୁଏ । କିନ୍ତୁ ପରିବାର ପାଖରେ ଅର୍ଥାଭାବ ଯୋଗୁଁ ତାହା ସମ୍ଭବ ହୋଇ ପାରୁନାହିଁ । ବହୁ କଷ୍ଟରେ ଅର୍ଥ ଯୋଗାଡ଼ କରି ଝିଅର ଚିକିତ୍ସା ପାଇଁ ମାଆ ଫିଜିଓଥେରାପି କରାଇବାକୁ ନେଉଥିବା ବେଳେ ପ୍ରାୟ ୬ ମାସ ହେବ ଟଙ୍କା ନଥିବାରୁ ଦିବ୍ୟାଙ୍ଗ ହଂସିକାର ଚିକିତ୍ସା କରାଯାଇ ପାରୁନଥିଲା ।