ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ କଳାକାରଙ୍କ କରୁଣ କାହାଣୀ, ପରିବାରରେ ତିନି ଦୃଷ୍ଟି ବାଧିତ - handicapped family

ଆଖି ଆଗରେ କିଟକିଟ ଅନ୍ଧାର। ପାଖରେ ଥାଇ ବି ସମସ୍ତେ ସମସ୍ତଙ୍କ ପାଇଁ ଅଚିହ୍ନା । କେହି କାହାକୁ ଦେଖି ପାରୁନାହାଁନ୍ତି । କାରଣ ଏଠି ଜଣେ ନୁହେଁ ଗୋଟିଏ ପରିବାରର ତିନି ଜଣ ଦୃଷ୍ଟି ବାଧିତ । ଏମାନଙ୍କ ଜୀବନରେ ଥଳ କୂଳ କିଛି ନାହିଁ । ହେଲେ ଯନ୍ତ୍ରଣାର ଝଡଝଞ୍ଜା ଭିତରେ ସାହାରା ଓ ସ୍ବାବଲମ୍ବୀ ହେବାକୁ ରାହା ଖୋଜୁଛନ୍ତି ପରିବାର । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗ କଳାକାରଙ୍କ କରୁଣ କାହାଣୀ, ପରିବାରରେ ତିନି ଦୃଷ୍ଟି ବାଧିତ
ଦିବ୍ୟାଙ୍ଗ କଳାକାରଙ୍କ କରୁଣ କାହାଣୀ, ପରିବାରରେ ତିନି ଦୃଷ୍ଟି ବାଧିତ

By

Published : Mar 13, 2021, 2:48 PM IST

ବାଲେଶ୍ବର: ସେ ଜଣେ ଦୃଷ୍ଟି ବାଧିତ, କେବଳ ସେ ନୁହେଁ ପରିବାରର 3 ଜଣ ଦୃଷ୍ଟି ବାଧିତ। ସ୍ତ୍ରୀ ମଧ୍ୟ ଦିବ୍ୟାଙ୍ଗ। ହେଲେ ତାଙ୍କର କଳା ଆଗରେ ଏ ଦିବ୍ୟାଙ୍ଗ ଡାକ ଫିକା ପଡ଼ିଯାଏ। ହାତରେ ତାଙ୍କର ଭାରି ରହିଛି ଯାଦୁ। ଅଧିକ ଶିଖିବା ପାଇଁ ଅର୍ଥ ସିନା ବାଧକ ସାଜିଥିଲା ହେଲେ ତାଙ୍କର କଳାକୁ ଲୁଚେଇ ପାରି ନଥିଲା।

ଦିବ୍ୟାଙ୍ଗ କଳାକାରଙ୍କ କରୁଣ କାହାଣୀ, ପରିବାରରେ ତିନି ଦୃଷ୍ଟି ବାଧିତ

ବର୍ତ୍ତମାନ ତାଙ୍କର କଳା ଗରିବୀର ପାହାଡ଼ ତଳେ ଚାପି ହୋଇଯାଇଛି। ଅତି ସୁନ୍ଦର ଭାବେ ତବଲା ବଜାଇ ପାରୁଥିବା ହାତ ଦୁଇଟି ଗରିବୀର କୋଷାଘାତରେ ନିରବି ଯାଇଛି। ଆମେ କହୁଚୁ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କୁଳିଗାଁ ପଞ୍ଚାୟତ ଦଳେଇସାହିର ଦୁଳ ଦଳେଇଙ୍କ ସାନ ପୁଅ ଶ୍ୟାମସୁନ୍ଦର କଥା।

ଦୁଳ ଦଳେଇଙ୍କ ଦୁଇପୁଅ ରବି ଓ ଶ୍ୟାମସୁନ୍ଦର ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ସାନପୁଅ ଶ୍ୟାମସୁନ୍ଦରଙ୍କ ସ୍ତ୍ରୀ ମଧ୍ୟ 70 ପ୍ରତିଶତ ଦିବ୍ୟାଙ୍ଗ ଓ ନାତି ଦୃଷ୍ଟିବାଧିତ। ଗତବର୍ଷ ଦୁଳଙ୍କ ନାତୁଣୀ ଅଞ୍ଚଳବାସୀଙ୍କ ସହାୟତାରେ ବିବାହ ହୋଇଛି। ବର୍ତ୍ତମାନ ଘର ଚଳିବା ପାଇଁ ଦୁଳ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ସାନବୋହୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ପରଘରେ ପାଇଟି କରି ଯାହା ଦି ପଇସା ରୋଜଗାର ହୁଏ ସେଥିରେ ଘର ଚଳେ। ଉପରୁ ଆଜବେଷ୍ଟ ଘରଟି ଚକଚକ ଦେଖାଯାଉଥିବା ବେଳେ ସେଥିରେ ରହିବା ସମ୍ଭବ ହେଉନି।

ଘର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଉପରେ ଆଜବେଷ୍ଟ କଣା ହୋଇଗଲାଣି। ବର୍ଷା ଦିନରେ ତ ଏ ପରିବାରର ଦୁଃଖ କହିଲେ ନସରେ। ଓଦା ହୋଇ ତଳେ କୁଟା ବିଛେଇ ଏମାନେ ରାତ୍ରି ଯାପନ କରିଥାନ୍ତି। ଏହିଭଳି ପରିସ୍ଥିତିରେ ଥିବା ଦୁଳଙ୍କ ପରିବାରକୁ ସରକାରୀ ସହାୟତା ସହ ଏକ ଘର ଯୋଗାଇଦେବାପାଇଁ ଦାବି ହୋଇଛି।

ପରିବାର ଚଳାଇବା ପାଇଁ ଦୁଳଙ୍କ ସାନପୁଅ ଶ୍ୟାମସୁନ୍ଦର ଭଜନ କୀର୍ତ୍ତନରେ ତବଲା ବଜାଇ ଦି ପଇସା ରୋଜଗାର କରୁଥିଲେ। ଲୋକମାନେ ତାଙ୍କୁ ଭଜନ କୀର୍ତ୍ତନ ସ୍ଥଳୀକୁ ନେଇ ଯାଆନ୍ତି ଓ କାର୍ଯ୍ୟକ୍ରମ ସରିଲେ ପୁଣି ଆଣି ଘରେ ଛାଡ଼ି ଦିଅନ୍ତି। ହେଲେ ତବଲାଟି ଏବେ ପ୍ରାୟ ନଷ୍ଟ ହେବାକୁ ବସିଲାଣି। ତବଲା ସଜାଡ଼ିବା ପାଇଁ ଶ୍ୟାମସୁନ୍ଦରଙ୍କ ପାଖରେ ପଇସାଟିଏ ବି ନାହିଁ।

ତବଲା ସଜଡ଼ା ହୋଇ ପାରିଲେ ଶ୍ୟାମସୁନ୍ଦର କିଛିଟା ରୋଜଗାର କରି ପାରନ୍ତେ ବୋଲି କହିଛନ୍ତି। ଏ ଦୁଃଖୀ ପରିବାରକୁ ସରକାରୀ କିମ୍ବା ବେସରକାରୀ ସ୍ତରରୁ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ପରିବାର ଚଳାଇବା ଓ ନିଜର କଳାକୁ ବଞ୍ଚେଇବାରେ କଷ୍ଟ ଭୋଗୁଥିବା ଶ୍ୟାମସୁନ୍ଦରଙ୍କ ପ୍ରତି କେବେ ଦୃଷ୍ଟି ପଡିବ ତାହା ପ୍ରଶ୍ନବାଚୀ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details