ବାଲେଶ୍ବର: ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ବାଲେଶ୍ୱର ପୋଲିସ ଏକ ଅପହରଣ ମାମଲା ତଦନ୍ତ କରୁକରୁ ପୁରା ସେକ୍ସ ରାକେଟ ସନ୍ଧାନ ପାଇଛି । ଯେଉଁଥିରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ କିଛି ଦଲାଲ ଯୁବତୀଙ୍କୁ ପ୍ରଲୋଭିତ କରି ଏମିତି କାର୍ଯ୍ୟରେ ଲଗାଉଥିବା ବାଲେଶ୍ଵର ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଏହି ଘଟଣାରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ପୋଲିସ ଆହୁରି ଅଧିକ ତଦନ୍ତ ଜାରି ରଖିଛି । ଏହା ଭିତରେ ଅନେକ ଦଲାଲଙ୍କ ସମ୍ପୃକ୍ତି ଥିବା ପୋଲିସ ପାଖରେ ତଥ୍ୟ ରହିଛି । ଯାହା ଆଗାମୀ ଦିନରେ ପୋଲିସ ଏହାକୁ ଖୋଜି ବାହାର କରିବ ବୋଲି ବାଲେଶ୍ଵର ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।
ଏସ୍ପି ସାଗରିକା ନାଥଙ୍କ ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ଦୁଇ ଜଣ ଯୁବତୀ ନିଖୋଜ ନେଇ ସେଠାରେ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ପଶ୍ଚିମବଙ୍ଗ ଅଞ୍ଚଳର ଏକ ସାମାଜିକ ଅନୁଷ୍ଠାନ ଯୁବତୀମାନେ ବାଲେଶ୍ଵରକୁ ଚାଲାଣ ହୋଇ ଆସିଥିବା ବାଲେଶ୍ଵର ପୋଲିସକୁ ସୂଚନା ଦିଆଯାଇଥିଲା । ଏହାକୁ ନେଇ ବାଲେଶ୍ଵର ଏସ୍ପି ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ଥାନା ଅଧିକାରୀଙ୍କୁ ଏ ବିଷୟରେ ଖୋଳତାଡ଼ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବସ୍ତା ଥାନା ଅଞ୍ଚଳରେ କେତେଜଣ ବ୍ୟକ୍ତି ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଟଙ୍କାର ଲୋଭ ଦେଖାଇ ସେମାନଙ୍କୁ ଆଣି ସେକ୍ସ ରାକେଟ ଚଳାଉଥିବା ପୋଲିସ ଖବର ପାଇଥିଲା । ଏହାକୁ ନେଇ ବସ୍ତା ପୋଲିସ ଛାନଭିନ ଆରମ୍ଭ କରିଥିଲା । ଏହାସହ ଜଳେଶ୍ୱରରେ ମଧ୍ୟ ଠିକ ଏମିତି ଘଟଣା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଏହାପରେ ବସ୍ତା ପୋଲିସ ଯୁବତୀ ଚାଲାଣ ଓ ସେକ୍ସ ରାକେଟ ଚଳାଉଥିବା ଜଣେ ବେପାରୀକୁ ଗିରଫ କରିବା ପରେ ଏହା ଭିତରେ ଆହୁରି ଏମିତି ବ୍ୟକ୍ତି ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା ।