ବାଲେଶ୍ବର:ରାଜ୍ୟରେ ବ୍ୟାନ ହୋଇଛି ଜିଞ୍ଜର ମଦ । କିନ୍ତୁ ଆଜିବି ଅନେକ ସ୍ଥାନରେ ଜିଞ୍ଜର ମଦ ବିକ୍ରି କରାଯାଉଥିବା ନେଇ ଖବର ଆସୁଛି । ବିଶେଷ କରି ବାଲେଶ୍ବର ଜିଲ୍ଲାରୁ ଅଧିକାଂଶ ସମୟରେ ଅବକାରୀ ବିଭାଗ ଜିଞ୍ଜର ଜବତ କରୁଛି । ଝାଡଖଣ୍ଡରୁ ଆଣି ବାଲେଶ୍ଵରର ଉପାନ୍ତ ଅଞ୍ଚଳରେ ବେପାରୀ ମାନେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଜିଲ୍ଲାର ସୋର, କୁପାରି, ସିମୁଳିଆ ଆଦି ଅଞ୍ଚଳରେ ଏହାର କାରବାର ଜୋର ସୋର ଚାଲିଥିବା ଖବର ଅନେକ ଥର ସାମ୍ନାକୁ ଆସିଛି । ଚଳିତ ବର୍ଷ ଜିଞ୍ଜର କାରବାର ନେଇ ଜିଲ୍ଲାରେ 14 ଜଣଙ୍କୁ ଗିରଫ କରାଯାଇଛି ।
ଏହି ମଦ ବା ନିଶା ଦ୍ରବ୍ୟରେ ମାତ୍ରାଧିକ ଆଲକୋହଲ ଥିବା କାରଣରୁ ଏହା ଲିଭର ଓ କିଡନୀ ନଷ୍ଟ କରିବାର ପ୍ରମୁଖ କାରଣ ପାଲଟୁଛି । ମାତ୍ର ଏହାକୁ ବେପାରୀ ମାନେ ଅଧିକ ମୁନାଫା ଆଶାରେ ବାହାର ରାଜ୍ୟରୁ ଆଣି ବାଲେଶ୍ଵରରେ ବିକ୍ରି କରୁଛନ୍ତି । 149 ଟଙ୍କାରେ କିଣି ବେପାରୀ ମାନେ ଏହାକୁ ବୋତଲ ପିଛା 300 ରୁ 350 ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । ଏହାର ତୁଳନାରେ ବିଦେଶୀ ମଦର ମୂଲ୍ୟ ଅଧିକ ହୋଇଥିବା ବେଳେ ଗାଁ ଗହଳିରେ ଏହାକୁ ବେଶୀ ମାତ୍ରାରେ ବିକ୍ରି କରାଯାଉଛି ।
ପରିମାଣ ତୁଳନାରେ ଟଙ୍କା ପକେଟକୁ ସୁହାଉଥିବା ବେଳେ ଲୋକମାନେ ନିଶା ନାଁରେ ବିଷ ପିଉଥିବା ଅବକାରୀ ବିଭାଗର ଇନ୍ସପେକ୍ଟର ଗାଲୁରାମ ସରେନ କହିଛନ୍ତି । ବେପାରୀ ଅଧିକ ମୁନାଫା ପାଇଁ ଏହାକୁ ବାହାର ରାଜ୍ୟରୁ ଆଣୁଥିବା ବେଳେ କମ ଟଙ୍କାରେ ବିକ୍ରି କରୁଛନ୍ତି । କମ ଟଙ୍କା ଦେଇ ଅଧିକ ପରିମାଣରେ ଏହି ନିଶା ଦ୍ରବ୍ୟ ମିଳୁଥିବାରୁ ସାଧାରଣ ଲୋକଟିଏ ଏହି ନିଶାର ବଶବର୍ତ୍ତୀ ହୋଇଯାଉଛି । ଏହାକୁ ରୋକିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ବେଳେ ଏହାର କାରବାର ରୋକିବା ପାଇଁ ଅବକାରୀ ବିଭାଗ ଅଧିକାଂଶ ସ୍ଥାନରେ ଚଢ଼ାଉ ଜାରି ରଖିଛି ।