ବାଲେଶ୍ବର:ଅଗ୍ନିର କୋପରେ ଜଳିଗଲା ଏକର ଏକର ଖଡିଚାଷ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଦକ୍ଷିଣ ନାଡ଼ବଣି ଗ୍ରାମରେ 50 ଏକର ଖଡ଼ି ଜମିରେ ନିଆଁ ଲାଗି ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଭୋଗରାଇ ଦକ୍ଷିଣ ନାଡବଣୀ ଗାଁରେ ଉର୍ଦ୍ଧ୍ବ ଖଡ଼ି ଚାଷ ଜଳିଯାଇଛି । ହଠାତ୍ ନିଆଁ ଲାଗିଯିବା ଫଳରେ ଏହାର କାରଣ ଜଣାପଡ଼ିନାହିଁ । ନିଆଁ ଏତେ ବ୍ୟାପକ ଥିଲା ଯେ ଆଖି ପିଛୁଳାକେ ସମଗ୍ର ଅଞ୍ଚଳରେ ଥିବା ଖଡ଼ିରେ ବ୍ୟାପି ଯାଇଥିଲା । ଚାଷକୁ ନିଆଁ ମୁହଁରୁ ବଞ୍ଚାଇ ପାରିଲେନି ଚାଷୀ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଭୟାବହ ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ । ଲକ୍ଷ ଲକ୍ଷ ଟଙ୍କାର ଫସଲ ଜଳି ପାଉଁଶ ହୋଇଯିବା ପରେ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି । ଭୟାବହ ଅଗ୍ନିକାଣ୍ଡକୁ ଅଗ୍ନିଶମ ବିଭାଗ ଦ୍ଵାରା ଆୟତ୍ତ କରିବା ସମ୍ଭବ ହୋଇପାରିନଥିଲା ।
ତେବେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ପ୍ରାୟ ଏକ କିଲୋମିଟର ଯାଏ ଏହାର ପ୍ରଭାବ ରହିଥିବା କୁହାଯାଉଛି । ଦୀର୍ଘ ଘଣ୍ଟା ଧରି ହୁତୁ ହୁତୁ ହୋଇ ଜଳି ଥିଲା ଖଡିଜମି । ଚାଷଜମିରୁ ନିଆଁ ବ୍ୟାପକ ହୋଇ ଏବେ ଗାଁ ଆଡକୁ ମୁହାଁଇଥିଲା । ନିଆଁ ଆୟତ୍ତ ପାଇଁ ଦୁଇଟି ଦମକଳ ଲାଗିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନାହିଁ । ଗୋଟିଏ ପଟେ ଚାଷୀ ତାର ବର୍ଷ ଯାକର ସମ୍ପତ୍ତି ହରାଇ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ପାଖରେ ଥିବା ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣ କିମ୍ବା ଅଗ୍ନିକାଣ୍ଡର ଅନ୍ୟ କିଛି କାରଣ ତାହା ଜଣାପଡି ନ ଥିବା ବେଳେ ଏବେ କିନ୍ତୁ ଚାଷୀମାନଙ୍କ ପାଇଁ ଏହା ଏକ ବିରାଟ କ୍ଷତି ବୋଲି କୁହାଯାଇପାରେ ।