'ବୈଶାଳୀ ମ୍ୟାଡାମ': ଝିଅର ସ୍ମୃତିରେ ସିନେମା କଲେ ବାପା, ସମାଜକୁ ଝିଅର ବଳିଦାନ ସନ୍ଦେଶ ବାଲେଶ୍ବର:ଆଜିର ଦୁନିଆରେ ପ୍ରାୟତଃ ଦମ୍ପତି ପୁଅଟିଏ ଆଶା କରିଥାନ୍ତି । ଅନେକ ସମୟରେ ଝିଅଟିଏ ପ୍ରଥମେ ହେଲେ ବାପାମାଆଙ୍କ ମନ ଉଣା ହୋଇଯାଉଥିବା ପରିଲକ୍ଷିତ ହୋଇଥାଏ । ଖାଲି ସେତିକି ନୁହେଁ ପୁଅଟିକୁ ଆଜିର ସମାଜରେ ଏବେବି ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଝିଅଟିଏ କେଉଁଠି ନା କେଉଁଠି ଟିକିଏ ଅବହେଳା ହେଉଥିବା ମନେ ହୋଇଥାଏ । ମାତ୍ର ଏମିତି ଜଣେ ବାପା ଆଜିର ଦୁନିଆକୁ ଏକ ଶକ୍ତ ଜବାବ ଦେଇଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ । ଝିଅର ମୃତ୍ୟୁ ପରେ ତାର ସମସ୍ତ ସ୍ମୃତି ସାଇତି ରଖିବା ଉଦ୍ଦେଶ୍ୟରେ ବାପା ଜଣଙ୍କ ଏକ ସିନେମା ପ୍ରସ୍ତୁତ କରୁଛନ୍ତି । ଯାହାକୁ ନେଇ ଜିଲ୍ଲାରେ ବେଶ ଚର୍ଚ୍ଚା ହେଉଛି ।
ଏହି ଫିଲ୍ମରେ ଝିଅର ସମସ୍ତ ସ୍ମୃତି, ସଂଘର୍ଷ ଏବଂ ବଳିଦାନ ବର୍ଣ୍ଣନା କରାଯାଇଛି । ଏମିତି ଜଣେ ବାପା ହେଉଛନ୍ତି ବାଲେଶ୍ବର ଅଞ୍ଚଳର ଶ୍ରୀନାଥ ରଣା । ଶ୍ରୀନାଥଙ୍କ ଦୁଇଟି ଝିଅ ହୋଇଥିବା ବେଳେ ଏହାକୁ ନେଇ ସେ ବେଶ ଖୁସି ଥିଲେ । ପ୍ରଥମ ଝିଅର ବିବାହ ହୋଇଯାଇଥିବା ବେଳେ ଦ୍ଵିତୀୟ ଝିଅ ବୈଶାଳୀ ପରିବାରର ସମସ୍ତ ଦାୟିତ୍ବ ନେବାସହ ନିଜେ ସଂଘର୍ଷ କରି ଜଣେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ । ବୈଶାଳୀ କେବଳ ଶିକ୍ଷକତା ନୁହେଁ ବରଂ ଅନେକ ସମୟରେ ସେ ଦୁଃଖୀମାନଙ୍କ ସହାୟତା କରିବା ସାମାଜିକ ସେବା ଦିଗରେ ନିୟୋଜିତ ରହୁଥିଲେ ।
ଏହା ବି ପଢନ୍ତୁ- ପୁଅର ଔଷଧ ଖର୍ଚ୍ଚ ପାଇଁ ଟଲି ଟାଣୁଛି ବାପା, ଦୁଇଟି କିଡନୀ ହରାଇ ଶଯ୍ୟାଶାୟୀ ପୁଅ
ଘରର ସେ ଝିଅ ନୁହେଁ, ବରଂ ଜଣେ ପୁଅ ଭଳି ସମସ୍ତ ଦାୟିତ୍ବ ନେଉଥିବା ତାଙ୍କ ବାପା ଶ୍ରୀନାଥ କହିଛନ୍ତି । ଏହାରି ଭିତରେ ସବୁ ଠିକଠାକ ଚାଲିଥିବା ବେଳେ ଅଜଣା ରୋଗରେ ପୀଡିତ ହେଲେ ବୈଶାଳୀ । ଧୀରେ ଧୀରେ ରୋଗ ଯନ୍ତ୍ରଣା ବୈଶାଳୀଙ୍କୁ କଷ୍ଟ ଦେବାକୁ ଲାଗିଥିଲା । ଶେଷରେ ୨୦୨୨ ମାର୍ଚ୍ଚ ମାସ ୨୭ ତାରିଖରେ ବୈଶାଳୀଙ୍କ ପରଲୋକ ହୋଇଥିଲା । ବୈଶାଳୀଙ୍କ ଏମିତି ଅକାଳ ବିୟୋଗକୁ ନେଇ ପରିବାର ସମେତ ଅଞ୍ଚଳବାସୀ ଭାଙ୍ଗି ପଡ଼ିଥିଲେ । ବୈଶାଳୀ ବହୁତ କମ ଦିନରେ ସମାଜସେବା ଏବଂ ଲୋକଙ୍କୁ ସିଧାସଳଖ ସହଯୋଗର ହାତ ବଢ଼ାଇ ଲୋକ ମାନସରେ ରହି ପାରିଥିଲେ । ତାଙ୍କର ସମସ୍ତ ସ୍ମୃତିକୁ ସବୁଦିନ ଉଜ୍ଜୀବିତ ରଖିବା ପାଇଁ ବୈଶାଳୀଙ୍କ ବାପା ଶ୍ରୀନାଥ ଏକ ସିନେମା ତିଆରି କରୁଛନ୍ତି ।
ଯାହାର ନାମ ରଖିଛନ୍ତି 'ବୈଶାଳୀ ମ୍ୟାଡାମ'। ଏହି ସିନେମା ଜରିଆରେ ଶ୍ରୀନାଥ ଝିଅ ମାନଙ୍କ ତ୍ୟାଗ, ବଳିଦାନ ସମ୍ପର୍କରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଇଚ୍ଛା ରଖିଛନ୍ତି । ଏହାକୁ ବ୍ୟବସାୟ ହିସାବରେ ନୁହଁ ବରଂ ଝିଅର ସ୍ମୃତି ଓ ପ୍ରତିଟି ଝିଅର ବଳିଦାନ ସମ୍ପର୍କରେ ଜଣାଇବାର ସେ ପ୍ରୟାସ କରୁଥିବା କଥା କହିଛନ୍ତି । ଏଥିପାଇଁ ଯେଉଁ ସ୍କୁଲରେ ବୈଶାଳୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ ସେହି ସ୍କୁଲରୁ ହିଁ ସିନେମାର ମହୁରତ ଆରମ୍ଭ ହୋଇଥିଲା । ଏବେ ସିନେମା ଆସିବାକୁ ଅପେକ୍ଷା ।
ଇଟିଭି ଭାରତ, ବାଲେଶ୍ବର