ଓଡିଶା

odisha

By ETV Bharat Odisha Team

Published : Sep 27, 2023, 8:17 AM IST

ETV Bharat / state

ଗର୍ଜିଲା ଅଖିଳ ଭାରତ କୃଷକ ସଭା, ଦାବି ପୂରଣ ପାଇଁ ତେଜିଲା ଆନ୍ଦୋଳନ

୧୯ ଦଫା ଦାବି ନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

farmer protest
farmer protest

farmer protest

ବାଲେଶ୍ବର:୧୯ ଦଫା ଦାବିକୁ ନେଇ ଗର୍ଜିଲା ଅଖିଳ ଭାରତ କୃଷକ ସଭା । ଏନେଇ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କୃଷକ ସଭା ।

ତେବେ ଦାବିଗୁଡ଼ିକ ହେଲା, ସ୍ଵାମୀନାଥନ କମିଶନଙ୍କ ସୁପାରିଶ ଅନୁଯାୟୀ ସମସ୍ତ କୃଷି ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ସଂସଦରେ ତୁରନ୍ତ ଆଇନ ପ୍ରଣୟନ କରାଯାଉ । ବର୍ତ୍ତମାନ କେନ୍ଦ୍ର ସରକାର ଏମ୍ଏସ୍‌ପି ପାଇଁ ଯେଉଁ କମିଟି ଗଠନ କରିଛନ୍ତି ତାହା ଚାଷୀ ଫସଲର ପ୍ରକୃତ ଉତ୍ପାଦନ ମୂଲ୍ୟଠାରୁ ଯଥେଷ୍ଟ କମ୍ ଅଟେ। ଏଥିପାଇଁ ଏହି କମିଟିକୁ ପ୍ରତ୍ୟାହାର କରାଯାଉ। କୃଷିଜାତ ସାମଗ୍ରୀର ଏମଏସପି ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ସମେତ ବିଭିନ୍ନ ଚାଷୀଙ୍କୁ ନେଇ ନୂତନ କମିଟି ଗଠନ ପାଇଁ ଦାବି ହୋଇଛି । ସେହିପରି କୃଷି ଉପକରଣର ମୂଲ୍ୟ, କୃଷି ଫସଲର ଉତ୍ପାଦନ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଚାଷୀ ଫସଲର ଉଚିତ୍ ଦର କେମିତି ପାଇବ ସେନେଇ ଦୃଷ୍ଟି ଦିଆଯାଉ । ଚାଷୀମାନଙ୍କର ସମସ୍ତ ପ୍ରକାରର ଋଣ ଛାଡ଼ କରାଯାଉ । ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୨କୁ ପ୍ରତ୍ୟାହାର କରିବା ଆଦି ଦାବି ରହିଛି ।

ସେହିପରି ଅନ୍ୟପଟେ ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ୪ ଜଣ ଚାଷୀ ଏବଂ ଜଣେ ସାମ୍ବାଦିକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା । ସେହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହିତ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି । ଏଥିସହ ବନ୍ୟା, ବାତ୍ୟା, ମରୁଡ଼ି, ଅଦିନିଆ ବର୍ଷା, ଫସଲ ପୋକ ଜନିତ ରୋଗ, ବିଭିନ୍ନ ବନ୍ୟଜନ୍ତୁ ଓ ପଶୁ ଆଦିଜନିତ କ୍ଷୟକ୍ଷତି ଭରଣା ପାଇଁ ‘ ଏକ କୃଷକ ସପକ୍ଷବାଦୀ ଫଳପ୍ରଦ ଫସଲ ବୀମା ଯୋଜନା’ ପ୍ରଚଳନ କରାଯାଉ । ସମସ୍ତ ମଧ୍ୟମ, କ୍ଷୁଦ୍ର, ନାମ ମାତ୍ରଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକମାନଙ୍କ ପାଇଁ ମାସିକ ୫ ହଜାର ଟଙ୍କା ପେନସନ ଯୋଜନା ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ- ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଅଖିଳ ଭାରତୀୟ କୃଷକ ସଭା

ଅନ୍ୟପଟେ ମନରେଗାରେ ବାର୍ଷିକ ୨୦୦ ଦିନର କାମ ଏବଂ ଦୈନିକ ମଜୁରୀ ୬ଶହ ଟଙ୍କା ଘୋଷଣା କରାଯାଉ । ଶ୍ରମିକ ବିରୋଧୀ 4ଟି ଶ୍ରମକୋଡ଼ ପ୍ରତ୍ୟାହାର କରାଯାଉ। ଓଡିଶାର କୃଷକ ଉତ୍ପାଦନ କରୁଥିବା ସମସ୍ତ ଧାନ ସରକାରୀ ମଣ୍ଡି ବ୍ୟବସ୍ଥାରେ କ୍ରୟ କରାଯାଉ । ଚାଷୀ ଏବଂ ଭାଗଚାଷୀ ସମସ୍ତଙ୍କଠାରୁ ଧାନ କ୍ରୟକୁ ସୁନିଶ୍ଚିତ କରାଯାଉ। ଧାନ କୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବା ସହ ରାଜ୍ୟ ସରକାର ଚାଷୀଙ୍କୁ ବୋନସ ପ୍ରଦାନ କରାଯାଉ । ଏଭଳି 19 ଦଫା ଦାବି ନେଇ ଅଖିଳ ଭାରତ କୃଷକ ସଭା ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details