ବାଲେଶ୍ଵର: ପ୍ରଥମେ ନିଅଣ୍ଟିଆ ବର୍ଷା, ପରେ ଲଗାଣ ବର୍ଷା ପୁଣି ତା' ପରେ ଚକଡା ପୋକ ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ସୁନାର କ୍ଷେତରେ ଚକଡା ପୋକର ବିନାଶ ଦେଖି ଶେଷରେ ଆତ୍ମହତ୍ୟା କରିଛି ଚାଷୀ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଆରୁହା ପଞ୍ଚାୟତ ଶାଳୀକୋଠା ଗ୍ରାମରୁ ଆସିଛି ପୁଣି ଏପରି ଏକ ଦୁଃଖଦ ଘଟଣା ।
ଗ୍ରାମର ଜଣେ ଚାଷୀ ଜମିରେ ଚକଡା ପୋକ ଲାଗି ଧାନ ଫସଲ ଉଜୁଡିବା ଦେଖି ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗ୍ରାମର ଲକ୍ଷ୍ମୀନାରାୟଣ ଜେନା ଚଳିତ ଖରିଫ ଋତୁରେ 4 ଏକର ଜମିରେ ଧାନ ଚାଷ କରିଥିଲେ । ଲଘୁଚାପଜନିତ ବର୍ଷାରେ ଲକ୍ଷ୍ମୀନାରାୟଣଙ୍କ ଫସଲ କିଛି ପରିମାଣରେ କ୍ଷତି ହୋଇଥିଲା । ଏହାପରେ ପୁଣି କ୍ଷେତରେ ଶକ୍ତ ପ୍ରହାର ପକାଇଲା ଚକଡା ପୋକ । ଲକ୍ଷ୍ମୀନାରାୟଣ ଚାଷ ଜମିରେ ଏପରି ଅବସ୍ଥା ଦେଖି ମାନସିକ ଭାରସାମ୍ୟ ହରାଇ ବସିଥିଲେ ।