ଓଡିଶା

odisha

ETV Bharat / state

ପ୍ରସିଦ୍ଧ ଚଡକ ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଓଡିଶାର ଦ୍ୱୀତିୟ ଗଣପର୍ବ ଭାବେ ପରିଗଣିତ ବାବା ଚନ୍ଦନେଶ୍ୱର ବିଶ୍ୱପ୍ରସିଦ୍ଧ ଯାତ୍ରା ଆରମ୍ଭ ହୋଇଯାଇଛି । ଦ୍ୱୀତିୟଦିନରେ ବାବା ଚନ୍ଦନେଶ୍ୱର ଓ ଦେବୀ କାମିନୀଙ୍କ ବିବାହ ସମ୍ପନ୍ନ ହୋଇଛି ।

By

Published : Apr 11, 2019, 6:11 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: ଓଡିଶାର ଦ୍ୱୀତିୟ ଗଣପର୍ବ ଭାବେ ପରିଗଣିତ ବାବା ଚନ୍ଦନେଶ୍ରୱଙ୍କ ବିଶ୍ପ୍ରୱସିଦ୍ଧ ଚଡକ ଯାତ୍ରା ଆରମ୍ଭ ହୋଇଯାଇଛି । ଦ୍ୱିତୀୟଦିନରେ ବାବା ଚନ୍ଦନେଶ୍ୱର ଓ ଦେବୀ କାମିନୀଙ୍କ ବିବାହ ସମ୍ପନ୍ନ ହୋଇଛି । ତେବେ ଶୁକ୍ରବାର ପୀଠରେ ମହାନୀଳ ପର୍ବ ପାଳିତ ହେବାକୁ ଥିବାବେଳେ ଶନିବାର ପାଟ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପ୍ରତିବର୍ଷ ଚୈତ୍ର ମାସରେ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚଡକ ମେଳା ଅନୁଷ୍ଠିତ ହୋଇଥାଏ । ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ବାଦ୍ ଦେଲେ ଓଡିଶାରେ ଏହି ମେଳା ଅଦ୍ୱିତୀୟ । ବାଲେଶ୍ୱର ଭୋଗରାଇ ବ୍ଲକ ଅନ୍ତର୍ଗତ ହୁଗୁଳି ପଞ୍ଚାୟତରେ ବାବା ଚନ୍ଦନେଶ୍ୱରଙ୍କ ଶୈବପୀଠ ବିଦ୍ୟମାନ । ଏହା ଏକ ବିଚିତ୍ର ଶୈବପୀଠ । କାରଣ ପୃଥିବୀର ସମସ୍ତ ଶୈବପୀଠରେ ପ୍ରଭୁଙ୍କ ଶିବଲିଙ୍ଗ ପୂଜା ପାଉଥିବା ବେଳେ ଚନ୍ଦନେଶ୍ୱରଙ୍କ ଲିଙ୍ଗ ନାହିଁ । କେବଳ ପ୍ରଭୁ ଶ୍ରୀ ଚନ୍ଦନେଶ୍ୱରଙ୍କ ଜଳଯନ୍ତ୍ର ପୂଜା କରାଯାଇଥାଏ ।

ଏଥିରେ ଓଡିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ବିହାର ପ୍ରଭୃତି ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତମାନେ ଉପବୀତ ଧାରଣ କରିଥାନ୍ତି । 13 ଦିନ ଧରି ଚଳଚଞ୍ଚଳ ହୋଇ ଉଠେ ଏହି ପୀଠ । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ପାଟପର୍ବ ହୋଇଥିବା ବେଳେ ଅନ୍ୟତମ ଆକର୍ଷଣ ହେଉଛି ପ୍ରଭୁ ଶିବ ଓ ଦେବୀ କାମିନୀଙ୍କ ବିବାହ ଉତ୍ସବ ।

ବୁଧବାର ପ୍ରଭୁଙ୍କ ଚତୁର୍ଥ ଅର୍ଘ୍ଯ ଅବସରରେ ଏହି ବିବାହ ଉତ୍ସବ ମାନବୀୟ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥା ଅନୁଯାୟୀ ଚାରି ଅର୍ଘ୍ଯ ଦିନ ଘଟ ସ୍ବରୂପେ ପ୍ରଭୁ ଶିବ, ତାଙ୍କ ବାହନ ସହିତ ସେବାୟତମାନେ ବରଯାତ୍ରୀ ହୋଇ ଘଟ ସ୍ବରୂପିଣୀ ଦେବୀ କାମିନୀଙ୍କୁ ବିବାହ କରିବା ପାଇଁ କନ୍ଯାଘରେ ଉପସ୍ଥିତ ହୋଇଥାନ୍ତି । ତା ପରଦିନ ତୃତୀୟ ଅର୍ଘ୍ଯ ଅବସରରେ କନ୍ୟା ପିତାଙ୍କର ଅନିଚ୍ଛା ସତ୍ତ୍ବେ ଦେବୀ କାମିନୀଙ୍କୁ ସାଙ୍ଗରେ ଘେନି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।
ସେଠାରେ ଶିବଙ୍କ ସହିତ କାମିନୀଙ୍କ ବିବାହ ଉତ୍ସବ ମାନବୀୟ ରୀତି ନୀତିରେ ଅନୁଷ୍ଠିତ ହୋଇଥାଏ ।

ମାତ୍ର ଚଳିତ ବର୍ଷ ତିଥି ଅନୁଯାୟୀ ମଙ୍ଗଳବାର ପଞ୍ଚମ ଅର୍ଘ୍ଯଦିନ ବରଯାତ୍ରୀ ସନ୍ଧ୍ୟାରେ କନ୍ୟା ଘରକୁ ଯାଇ ବୁଧବାର ଚତୁର୍ଥ ଅର୍ଘ୍ଯର ପୂର୍ବାହ୍ନରେ ମନ୍ଦିରକୁ ଫେରି ବିବାହ ଅନୁଷ୍ଠିତ ହୋଇଯାଇଛି । ବିଧି ଅନୁସାରେ ପ୍ରଭୁ କାମିନୀଙ୍କୁ ସାଙ୍ଗରେ ନେଇ ମନ୍ଦିର ମଧ୍ୟରେ ପ୍ରବେଶ କରିବା ବେଳେ ମାଆ ପାର୍ବତୀ ତାଙ୍କୁ ବାଧା ଦେଇଥିଲେ । ପରେ ପ୍ରଭୁ ପାର୍ବତୀଙ୍କ ମାନଭଞ୍ଜନ କରି କାମିନୀଙ୍କୁ ମନ୍ଦିର ଭିତରେ ବିବାହ କରିଥିଲେ । ବିବାହ ଉତ୍ସବ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ସନ୍ଧ୍ୟାରେ ମନ୍ଦିର ଖୋଲିବା ପରେ ଭକ୍ତମାନେ ପ୍ରଭୁଙ୍କ ଯୁଗଳ ମୂର୍ତ୍ତିକୁ ଦର୍ଶନ କରିଥିଲେ। ରାତିରେ ଭକ୍ତଙ୍କ ସମୂହ ଅର୍ଘ୍ଯଦାନ ଅନୁଷ୍ଠିତ ହୋଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details