ବାଲେଶ୍ବର: ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣା ଆଜି ବି ମନେ ପଡିଲେ ଛାତି ଥରି ଉଠୁଛି । ଏହାରି ଭିତରେ ବାଲେଶ୍ବରରେ ଜଣେ ରେଳ ଫାଟକ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ପୁଣି ଏକ ବଡ ଦୁର୍ଘଟଣା ଘଟିବାରୁ ଟଳି ଯାଇଛି । ଜଣେ ରେଲୱେ ଗେଟକିପର ଅତ୍ୟଧିକ ମଦ୍ୟପାନ କରି ନିଶାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫାଟକ ଖୋଲା ଛାଡି ଦେଇଥିଲେ । ଗୋଟିଏ ଟ୍ରେନ ଅତିକ୍ରମ କରିଥିଲେ ହେଁ ସେ କିଛି ଜାଣି ପାରିନଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଆସି ଫାଟକ ପକାଇଥିଲେ । ପରେ ଆଉ ଗୋଟିଏ ମାଲବାହୀ ଟ୍ରେନ ସୁରକ୍ଷିତ ଭାବେ ରେଳ ଫାଟକ ଅତିକ୍ରମ କରିଥିଲା । ଘଟଣାଟି ଦକ୍ଷିଣ ପୂର୍ବ ରେଳପଥର ଅମର୍ଦ୍ଦାରୋଡ଼ ଓ ବସ୍ତା ଷ୍ଟେସନ ମଧ୍ୟବର୍ତ୍ତୀ ନାରଙ୍ଗାବାଜ ଅଞ୍ଚଳର ।
ସୂଚନା ଅନୁସାରେ, ଅନେକ ଗୁଡିଏ ଦୁର୍ଘଟଣା ଘଟିବା ଯୋଗୁଁ ବହୁ ଦାବି ପରେ ନାରଙ୍ଗାବାଜରେ ଏକ ଗେଟ୍ ଗୃହ ନିର୍ମାଣ ହୋଇଛି । ହେଲେ ସିଗନାଲ କାର୍ଯ୍ୟ ଷ୍ଟେସନ ଦ୍ବାରା ସମ୍ପାଦନ ହୋଇଥାଏ । ଷ୍ଟେସନରୁ ଟ୍ରେନ ଆସିବାର ଖବର ପାଇବା ପରେ ଗେଟକିପର ଫାଟକ ପକାଇଥାନ୍ତି । ଗତକାଲି ଅମର୍ଦ୍ଦାରୋଡ଼ ସାପ୍ତାହିକ ହାଟ ଥିବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଉକ୍ତ ଫାଟକ ପାର୍ ହୋଇ ହାଟ କରିବାକୁ ଯାଇଥିଲେ । ସେଠାରେ କାର୍ଯ୍ୟରତ ରେଳ ଫାଟକ କର୍ମଚାରୀ ମଦ ନିଶାରେ ଚୂର ଥିବା ସମୟରେ ଅମର୍ଦ୍ଦାରୋଡ଼ରୁ ବସ୍ତା ଅଭିମୁଖେ ଏକ ଟ୍ରେନ ଖୋଲାଥିବା ଫାଟକକୁ ଅତିକ୍ରମ କରିଥିଲା ।