ବାଲେଶ୍ବର:କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ମଣିଷ ଯେତେବେଳେ ଜୀବନ-ମରଣ ସହ ଲଢୁଥାଏ । ଭଗବାନ ସାଜି ଜୀବନ ରକ୍ଷା କରନ୍ତି ଡାକ୍ତର । ରୋଗୀ ସେବା ହିଁ ମାଧବ ସେବା । ଯାହାକୁ ଜୀବନର ବ୍ରତ କରନ୍ତି ଡାକ୍ତର । ଡାକ୍ତର ଓମକାର ହୋତାଙ୍କ କାହାଣୀ ତ ଜାଣିଛନ୍ତି, କିନ୍ତୁ ସେହିପରି ଆଉ ଜଣେ ଡାକ୍ତର ହେଉଛନ୍ତି ବାଲେଶ୍ବରର ସୁକାନ୍ତ କୁମାର ସାହୁ । ଗରିବ, ଅସହାୟ, ମାନଙ୍କୁ ନିଜର ବନ୍ଧୁ ବୋଲି ଭାବି ନିରନ୍ତର ସେବା ଯୋଗାଇ ଆସୁଛନ୍ତି ଡାକ୍ତର ସୁକାନ୍ତ ।
ଚର୍ଚ୍ଚାରେ ବାଲେଶ୍ବରର ଡାକ୍ତର ସୁକାନ୍ତ କୁମାର ସାହୁ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଧୀନ ଅନନ୍ତପୁର ପ୍ରାଥମିକ ଡାକ୍ତରଖାନାରେ ସୁକାନ୍ତ କୁମାର ସାହୁ ଇନଚାର୍ଜ ଡାକ୍ତର ଭାବେ କାର୍ଯ୍ୟ କରନ୍ତି । ଡାକ୍ତରଖାନାରେ ରୋଗୀ ମାନଙ୍କୁ ଉତ୍ତମ ବ୍ୟବହାର ଏବଂ ଉତ୍ତମ ଚିକିତ୍ସା ଯୋଗାଇ ସେ ପ୍ରିୟଭାଜନ ହୋଇପାରିଛନ୍ତି । କେବଳ ଡାକ୍ତରଖାନା ନୁହଁ ବରଂ ଡାକ୍ତରଖାନାରୁ ଟିକିଏ ଫୁରସତ ପାଇବା ପରେ ସେ ବାହାରି ପଡନ୍ତି ଅସହାୟ ଲୋକଙ୍କ ସେବା କରିବା ପାଇଁ । ସେ ନିଜର ସ୍ତ୍ରୀଙ୍କ ସହ କେତେଜଣ ସହଯୋଗୀଙ୍କୁ ସାଙ୍ଗରେ ଧରି ବାହାରି ଯାଆନ୍ତି ବିଭିନ୍ନ ଉପାନ୍ତ ଅଞ୍ଚଳକୁ ରୋଗୀ ସେବା ଯୋଗାଇବା ପାଇଁ । ଯେଉଁଠାରେ ସ୍ବାସ୍ଥ୍ୟ ସେବା ସାତ ସପନ, ସେଠାରେ ପହଞ୍ଚି ଚିକିତ୍ସା କରିବା ସହ ମାଗଣାରେ ଔଷଧ ମଧ୍ୟ ଦିଅନ୍ତି ସୁକାନ୍ତ ।
ଅନେକ ଭିନ୍ନକ୍ଷମ ବିଦ୍ୟାଳୟରେ ମଧ୍ୟ ଡାକ୍ତର ସୁକାନ୍ତ ପହଞ୍ଚି ସେଠାରେ ସେବା ଯୋଗାଇଥାନ୍ତି । ଏହିସବୁ କାର୍ଯ୍ୟରେ ସ୍ତ୍ରୀ ଗାୟତ୍ରୀ ସାହୁ ସାମିଲ ହୋଇ ସେବା ଯୋଗାଇବାରେ ସହଯୋଗ କରନ୍ତି । ଗୋଟିଏ କିମ୍ବା ଦୁଇଟି ନୁହଁ ପ୍ରାୟ ତିରିଶରୁ ଅଧୁକ ସ୍ଥାନରେ ବିଭିନ୍ନ ବିଦ୍ୟାଳୟ, ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ବୁଲିବୁଲି ନିରନ୍ତର ସେବା କରି ଚାଲିଛନ୍ତି ଡାକ୍ତର ସୁକାନ୍ତ । ବିଭିନ୍ନ ରୋଗ ପାଇଁ ଔଷଧ ନିଜ ଅର୍ଥରେ କିଣି ରୋଗୀ ମାନଙ୍କୁ ବଣ୍ଟନ କରିଥାନ୍ତି ।