ବାଲେଶ୍ବର: ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଦାବିରେ ଗତ ୨୦୦୫ ମସିହାରେ ପ୍ରତିଷ୍ଠିତ ସରକାରୀ ମେଡିକାଲ୍ କଲେଜ ଓ ହସପିଟାଲ୍ କ୍ରିୟାନୁଷ୍ଠାନ କମିଟିର ସପ୍ତଦଶ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରଥମ ଅଧିବେଶନକୁ ଫକୀରମୋହନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଅଧ୍ୟକ୍ଷ ଡା. ରାମଚନ୍ଦ୍ର ଗିରି ଓ ଜିଲ୍ଲା ପରିଷଦର ସଭାପତି ତଥା ଅଭ୍ୟର୍ଥନା କମିଟିର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ ।
ବାଲେଶ୍ଵର ସଦର ବିଧାୟକ ସ୍ଵରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏଥିରେ ଯୋଗଦେଇ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କ ପ୍ରଚେଷ୍ଠାକୁ ପ୍ରଶଂସା କରିଥିଲେ । ଏହି ଅବସରରେ କ୍ରିୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଦସ୍ୟମାନଙ୍କୁ ପ୍ରମାଣପତ୍ର ଦେଇ ମଞ୍ଚରେ ସମ୍ମାନିତ କରାଯାଇଥିଲା ।