ଓଡିଶା

odisha

ETV Bharat / state

ମାଆଙ୍କ ଦେହାନ୍ତ ପରେ ବେସାହାରା ପରିବାର, ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛନ୍ତି ଭିନ୍ନକ୍ଷମ ଭାଇ-ଭଉଣୀ

Begging to Perform Death Ritual: ମାଆଙ୍କ ଦେହାନ୍ତ ପରେ ବେସେହାରା ଭିନ୍ନକ୍ଷମ ପରିବାର । ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସୋମନାଥପୁର ଗ୍ରାମର ସିହାଣୀପୋଖରୀ ସାହିର ରତ୍ନାକର ଜେନାଙ୍କ ପରିବାର । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 19, 2024, 2:55 PM IST

Begging to Perform Death Ritual
ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା

ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା

ବାଲେଶ୍ବର:ଗରିବାର ଯନ୍ତ୍ରଣା ସତରେ ବେଶ କଷ୍ଟ ଦାୟକ। ଗରିବ ହେବା ଯେମିତି ପାପ ବୋଲି କୁହାଯାଉଥିବା ବେଳେ ଅନେକ ସମୟରେ ଗରିବ ମଣିଷଟିଏ ସବୁ ପରିସ୍ଥିତିରେ ହାରି ଯାଇଥାଏ। ଜନ୍ମକଲା ମାଆ କର୍କଟ ରୋଗରେ ଆରପାରିକୁ ଚାଲିଯିବା ପରେ ଏମିତି ଦୁଃଖଦ ପରିସ୍ଥିତି ଭିତରେ ମାଆର ଶୁଦ୍ଧିକ୍ରିୟା ପାଇଁ ଦୁଇ ଭିନ୍ନକ୍ଷମ ଭାଇ ଭଉଣୀ ଭିକ୍ଷାବୃତ୍ତିକୁ ଅପଣାଇ ନେଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସୋମନାଥପୁର ଗ୍ରାମର ସିହାଣୀପୋଖରୀ ସାହିର ରତ୍ନାକର ଜେନାଙ୍କ ପରିବାର ଗରିବୀର ତାଡ଼ନା ଆଗରେ ପରିବାର ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡ଼ିଛନ୍ତି । ଗରିବୀର ପ୍ରହାରରେ ଏ ପରିବାର ସତେ ଯେମିତି ଚାପି ହୋଇ ଯାଇଛି।

ବାପା ମାନସିକ ରୋଗୀ, ଛୁଆ ଭିନ୍ନକ୍ଷମ:ରତ୍ନାକର ଜେନା ଜଣେ ମାନସିକ ରୋଗୀ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଜେମାମଣି ଥିଲେ ପରିବାରର ଏକମାତ୍ର ରୋଜଗାରିଆ । ସ୍ତ୍ରୀ ପର ଘରେ କାମ କଲେ ପରିବାରର 4 ପ୍ରାଣୀ କୁଟୁମ୍ବ ତେଲଲୁଣର ସଂସାର କରି ଚଳୁଥିଲେ । ଜେମାମଣି ଅନ୍ୟ ଲୋକଙ୍କ ଠାରୁ ଜମି ବଖରା ଆଣି ଧାନ ଚାଷ କରି ପରିବାର ପୋଷୁଥିଲେ। ହେଲେ ବିଧାତାର ଖେଳ ଆଗରେ କିଏ ବା ଜିତି ପାରିବ । ଏହାରି ଭିତରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଗଲେ ଜେମାମଣି । ଏମିତି ରୋଗରୁ ମୁକ୍ତି ପାଇବା ପାଇଁ ଧାନ ବିକ୍ରି କରି ଯାହା ଦୁଇ ପଇସା ଥିଲା ସେସବୁ ଚିକିତ୍ସା ଖର୍ଚ୍ଚରେ ଚାଲିଗଲା । ଶେଷରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜି ଦେଇଥିଲେ ଜେମାମଣି । ଜେମାମଣୀଙ୍କ ମୃତ୍ୟ ପରେ ଏବେ ସ୍ବାମୀଙ୍କ ସମେତ ଦୁଇ ଭିନ୍ନକ୍ଷମ ଭାଇ ଭଉଣୀ ସମ୍ପୂର୍ଣ୍ଣ ଭାବେ ଅସହାୟ।

ଶୁଦ୍ଧିକ୍ରିୟା ପାଇଁ ଭିକ୍ଷାବୃତ୍ତି: ଜେମାମଣୀଙ୍କ ମୃତ୍ୟୁକୁ ଚାରିଦିନ ପୁରିଥିବା ବେଳେ ତାଙ୍କର ଶୁଦ୍ଧିକ୍ରିୟା ପାଇଁ ପରିବାର ପାଖରେ ଟଙ୍କାଟିଏ ବି ନାହିଁ । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ଏହି ପରିବାର ପାଖରେ କୌଣସି ସମ୍ବଳ ନଥିବାରୁ ଶେଷରେ ବାଧ୍ୟ ହୋଇ ଭିନ୍ନକ୍ଷମ ଭାଇ ଭଉଣୀ ଦୁଇଜଣ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି। ଦୁଆର ଦୁଆର ବୁଲି ମାଆର ଶୁଦ୍ଧିକ୍ରିୟା ପାଇଁ ହାତ ପାତି ଭିକ ମାଗୁଛନ୍ତି । ଆଖିରୁ ଝରି ଯାଉଛି ତାଙ୍କର ଅଜଣା ଲୁହ, ଭାଗ୍ୟକୁ ବାରମ୍ବାର ନିନ୍ଦୁଛନ୍ତି ତଥାପି ପରିସ୍ଥିତି ଆଗରେ ହାରମାନି ମାଆ ପାଇଁ ଥାଳ ଧରି ଭିକ ମାଗୁଛନ୍ତି । ଭିକ ମାଗି ମାର ଶୁଦ୍ଧିକ୍ରିୟା ସମ୍ପନ୍ନ କରିବା ପାଇଁ ଅଣ୍ଟା ଭିଡିଥିବା ଏ ଦୁଇ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପାଇଁ ସବୁ ବର୍ଗରୁ ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରାଯାଉଛି। ତେବେ ଏହି ଦୁଃଖି ପରିବାରକୁ ଯଦି କୌଣସି ସଙ୍ଗଠନ କିମ୍ବା ବ୍ୟକ୍ତି ବିଶେଷ ସହଯୋଗର ହାତ ବଢାଇବାକୁ ଚାହୁଁଥାନ୍ତି ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସହାୟତା ରାଶି ପଠାଇପାରିବେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details