ବାଲେଶ୍ୱର:ବସ୍ତା ବ୍ଲକ ନାଇକଗୁଡି ଅଞ୍ଚଳର ଦିବ୍ୟାଙ୍ଗ ମହିଳା ମାନସୀ ପ୍ରଧାନଙ୍କୁ ଅଣଦେଖା । ଗତ 2022ରେ ସେ ବିବାହ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ମିଳିପାରିନି ସରକାରୀ ସହାୟତା । କୌଣସି ଦିବ୍ୟାଙ୍ଗ ଯଦି ସୁସ୍ଥ ବ୍ୟକ୍ତିଙ୍କୁ ବିବାହ କରନ୍ତି ତେବେ ଉଭୟଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ମାନସୀ । ବ୍ଲକ ଅଫିସ ଠାରୁ ଆରମ୍ଭ କରି ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ମିଳିପାରିନି ସହାୟତା ରାଶି । ଶେଷରେ ମାନସିଙ୍କ ଦୁଃଖ ଶୁଣିଛନ୍ତି ଜିଲ୍ଲାପାଳ ।
ମାନସୀ ଗତ 2022ରେ ବାଲିଆପାଳ ବ୍ଲକ ବୋଳଙ୍ଗ ଅଞ୍ଚଳର ଶମ୍ବୁନାଥ ପ୍ରଧାନଙ୍କୁ ବିବାହ କରିଥିଲେ । ମାନସୀ ଏବେ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ବେଳେ ସରକାରୀ ସହାୟତା କହିଲେ ମାତ୍ର ୭ଶହ ଟଙ୍କା ଭତ୍ତା ମିଳୁଛି । ତାଙ୍କ ସ୍ଵାମୀ ଶମ୍ଭୁନାଥ ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରୁଥିବା ବେଳେ ସେଥିରୁ ଯାହା ମିଳେ ସେଥିରେ ପରିବାରର ଚଳେ । ତେବେ ମାନସୀ ସରକାରୀ ଯୋଜନାରେ ସାମିଲ ହୋଇ କିପରି ସହାୟତା ପାଇପାରିବେ ସେନେଇ ଚେଷ୍ଟା ଜାରି ରଖିଛନ୍ତି ।
ମାନସିଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିନଥିବା ବେଳେ ଆଜି ଯାଏଁ ଶୌଚାଳୟ ଟିଏ ମଧ୍ୟ ମିଳିପାରିନାହିଁ । ଏହାସହ ଯେଉଁ ବିବାହ ସହାୟତା ରାଶି ମିଳିବା କଥା ତାହା ମଧ୍ୟ ମିଳି ପାରିନାହିଁ । ଏନେଇ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ଗୁହାରି କରିଥିଲେ ମଧ୍ୟ ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ସେ । ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସି ରହିବାରୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ତାଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।