ବାଲେଶ୍ବର: ଅନ୍ବେଷା ଇନ ଇଣ୍ଡିଆ ଲିମିଟେଡ ଚିଟଫଣ୍ଡ ଠକେଇ ମାମଲା । ଗତକାଲି(ମଙ୍ଗଳବାର) ରାୟ ଶୁଣାଇଛନ୍ତି ବାଲେଶ୍ବର ବିଚାର ବିଭାଗର ସ୍ବତନ୍ତ୍ର ଓପିଆଇଡି କୋର୍ଟ । ଏହି ମାମଲାରେ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ୩ଜଣଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ବାଲେଶ୍ଵରର ସ୍ବତନ୍ତ୍ର ଚିଟପଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ ଦାସ ଏହି ରାୟ ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ଏହି ଚିଟଫଣ୍ଡ ସଂସ୍ଥା ବାଲେଶ୍ୱର ସହରରର ସହଦେବଖୁଣ୍ଟା ଅଞ୍ଚଳରେ ଖୋଲିଥିଲା । ଅଳ୍ପଦିନରେ ଏହି ସଂସ୍ଥା ଲୋକଙ୍କୁ ଠକିବାରେ ସଫଳ ହୋଇଥଲା । ଅଧିକ ଟଙ୍କା ଫେରସ୍ତ ଲୋଭ ଦେଖାଇ ସଂସ୍ଥା ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଵାଲେଶ୍ୱର ସମେତ ବିଭିନ୍ନ ଅଞ୍ଚଳରୁ ଟଙ୍କା ଆଦାୟ କରିଥଲା । ଏମିତି ସଦର ବ୍ଲକ ଅନ୍ତର୍ଗତ ଶେଖପାଟଣା ଅଞ୍ଚଳର ଜଗନ୍ନାଥ ବାରିକ ନାମକ ଜଣେ ଜମାକାରୀ ଉକ୍ତ ସଂସ୍ଥାରେ ଆରଡି ଆକାରରେ ଟଙ୍କା ରଖିଥିଲେ । ଉକ୍ତ ସଂସ୍ଥାରେ ୭ଲକ୍ଷ ୩୭ ହଜାର ୩୪୦ ଟଙ୍କା ଜମା ରଖିଥିଲେ । ଏହି ଟଙ୍କା ମେଚୁରୀଟି ବି ହୋଇଯାଇଥିଲା । ମାତ୍ର ୧୨ ପ୍ରତିଶତ ସୁଧ ସହ ମୂଳଧନ ନ ମିଳିବାରୁ ସେ ସହଦେବଖୁଣ୍ଟାରେ ଥିବା ସମ୍ପୃକ୍ତ ସଂସ୍ଥାର କାର୍ଯ୍ୟଳୟକୁ ଯାଇଥିଲେ । ସେଠାରେ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ତାଙ୍କ ସହ ଅନ୍ୟ ଜମାକାରୀ ଠକାମୀରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।