ବାଲେଶ୍ବର: ରଜ ପର୍ବ ଓଡ଼ିଆମାନଙ୍କ ସବୁଠୁ ବଡ଼ ପର୍ବ। ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ରଜ ତିନିଦିନ ଲୋକମାନେ ବେଶ ଆନନ୍ଦରେ ପାଳିଥାନ୍ତି । କୁହାଯାଏ ଏହି ସମୟରେ, ଧରଣୀ ମା ରଜବତୀ ହୋଇଥାଏ । ରଜ ସଂକ୍ରାନ୍ତିରେ ଚାଷୀମାନେ ମାଟି ମାଆକୁ ସ୍ପର୍ଶ କରି ନଥାନ୍ତି । ରଜ ସରିବା ପରେ ଭୂମି ପୂଜନ କରାଯାଇ ଧରଣୀ ମାଆକୁ ଶୁଦ୍ଧ କରି ଚାଷୀଭାଇ ଆରମ୍ଭ କରେ ଚାଷ କାର୍ଯ୍ୟ ।
ରଜ ପାଳିବାକୁ ବର୍ଷ ଆରମ୍ଭରୁ ସମସ୍ତେ ଅପେକ୍ଷା କରି ବସିଥାନ୍ତି । ରଜ ପର୍ବର ଧରଣୀ ମା ସହିତ ରହିଛି ଗଭୀର ସମ୍ପର୍କ । ଏହା କୃଷି ଓ କୃଷକ ପାଇଁ ମଧ୍ୟ ଅନେକ ମହତ୍ବ ରଖେ । ବିଶ୍ବାସ କରାଯାଏ ଯେ, ମା ଧରଣୀ ଏଇ ସମୟରେ ରଜସ୍ବଳା ହୁଅନ୍ତି ଓ ଏହାପରେ କୃଷକର ଜମି ଉତ୍ପାଦନକ୍ଷମ ହୁଏ । ସେଥିପାଇଁ ଏହି ସମୟରେ କୃଷକ ମଧ୍ୟ ଜମିରେ ହଳ କରେ ନାହିଁ ।
ଏହି ତିନିଦିନ ଲୋକମାନେ ନିଜ ଘରେ କୃଷିଜାତ ଖାଦ୍ୟ ଖାଇଥାନ୍ତି । ଯେମିତି ବିରି ପିଠା, ଚାଉଳ ପିଠା, ଆମ୍ବ, ପଣସ, ଏମିତି କି ପାନ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରଜରେ ପାନ ଖାଇବାର ପରମ୍ପରା ବେଶ ନିଆରା । କୁଆଁରୀ ଠାରୁ ଆରମ୍ଭ କରି ବୋହୂମାନେ ମଧ୍ୟ ରଜର ଆନନ୍ଦ ଉଠାଇଥାନ୍ତି । ଏମିତିକି ବୋହୁମାନଙ୍କ ବାପଘରୁ ଶାଶୁ ଘରକୁ ରାଜଭାର ଆସିଥାଏ । ଯେଉଁଥିରେ ଆମ୍ବ, ପଣସ ଠାରୁ ଆରମ୍ଭ କରି ନାରୀର ଶୃଙ୍ଗାର ପାଇଁ ସମସ୍ତ ଜିନିଷ ସଜା ହୋଇ ରହିଥାଏ । ରଜ ଯେ କେବଳ ସଯବାଜର ପର୍ବ ତାହା ନୁହେଁ ଏହା ଚାଷୀ ଭାଇମାନଙ୍କର ସବୁଠୁ ବଡ଼ ପର୍ବ ।