ଓଡିଶା

odisha

ETV Bharat / state

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ, ପଲ୍ଲୀରୁ ଦିଲ୍ଲୀ ଯାଏ ଆନ୍ଦୋଳନ କରିବ କଂଗ୍ରେସ - ପଲ୍ଲୀରୁ ଦିଲ୍ଲୀ ଯାଏ ଆନ୍ଦୋଳନ କରିବ କଂଗ୍ରେସ

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ନେଇ ବିଜେପି ସରକାର ଉପରେ ବର୍ଷିଛି କଂଗ୍ରେସ । ଏହାକୁ ବିରୋଧ କରି କଂଗ୍ରେସ ପଲ୍ଲୀରୁ ଦିଲ୍ଲୀ ଯାଏ ସ୍ଵର ଉଠାଇବ ବୋଲି ପିସିସି ପର୍ଯ୍ୟବେକ୍ଷକ ନିରୋଜ ଲୋଚନ ଦାସ କହିଛନ୍ତି । ଅଧିକ ପଢ଼ନ୍ତୁ

rahul gadhi disqualified
ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗ

By

Published : Apr 1, 2023, 7:30 AM IST

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗ

ବାଲେଶ୍ବର: ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ହେବା ପରେ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି । ମୋଦି ସରକାର ଏକଛତ୍ରବାଦ ଶାସନ ଚଳାଇଥିବା ଅଭିଯୋଗ କରିଛି କଂଗ୍ରେସ । ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଉଛି । ଏହି କ୍ରମରେ ମୋଦି ସରକାରଙ୍କ ଉପରେ ବର୍ଷିଛି ବାଲେଶ୍ବର ଜିଲ୍ଲା କଂଗ୍ରେସ ।

କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପିସିସି ପର୍ଯ୍ୟବେକ୍ଷକ ନିରୋଜ ଲୋଚନ ଦାସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୋଦି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆହ୍ବାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ବିରୋଧରେ ଯେଉଁ ପ୍ରକାର ଷଡଯନ୍ତ୍ର ଚାଲିଛି ତାହାକୁ ନେଇ କଂଗ୍ରେସ ପଲ୍ଲୀରୁ ଦିଲ୍ଲୀ ଯାଏ ସ୍ଵର ଉଠାଇବ ବୋଲି ସେ କହିଛନ୍ତି । ଏନେଇ ନିରୋଜ ଲୋଚନ ଦାସ କହିଛନ୍ତି, " ମୋଦି ସରକାର ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି । ଯିଏ ବି ଆଙ୍ଗୁଠି ଦେଖାଇ ତାଙ୍କୁ କହୁଛି ତା ବିରୋଧରେ ମୋଦି ସରକାର ଷଡ଼ଯନ୍ତ୍ର କରି ଫସାଇ ଦେଉଛନ୍ତି । ଏମିତି କି କଂଗ୍ରେସ ମୁକ୍ତ ଭାରତ ବୋଲି ନିଜେ ମୋଦି କହୁଥିବା ବେଳେ ସୋନିଆ ଗାନ୍ଧୀଙ୍କୁ ମନଇଚ୍ଛା ଆକ୍ଷେପ କରିବା ପରେ ବି ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଦାନୀଙ୍କ ଧନ ସମ୍ପତ୍ତି ଓ ଦୁର୍ନୀତି ସମ୍ପର୍କରେ ପର୍ଦ୍ଦାଫାସ ହେବାପରେ ମଧ୍ୟ ତାଙ୍କ ବିରୋଧରେ ମୋଦି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ।"


ଅନ୍ୟପଟେ କଂଗ୍ରେସ କହିଛି ଯେ, ରାହୁଲ ଗାନ୍ଧୀ ଲୋକସଭାରେ ମୋଦି ସରକାରଙ୍କୁ ଦୁଇଟି ମୌଳିକ ପ୍ରଶ୍ନ ପଚାରିଥିଲେ । ଆଦାନୀ କମ୍ପାନୀ ସମୂହରେ ବିଦେଶରେ ତାଙ୍କ ପରିବାର ଦ୍ଵାରା ପରିଚାଳିତ ହେଉଥିବା ସେଲ୍‌ କମ୍ପାନୀମାନଙ୍କ ଦ୍ଵାରା ୨୩ ହଜାର କୋଟି ପୁଞ୍ଜି ବିନିଯୋଗ ହୋଇଛି । କିନ୍ତୁ ସରକାର ଏହାର ତଦନ୍ତ କରିବା ପରିବର୍ତ୍ତେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ କରାଇଲେ । ୧୯୪୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବ୍ୟତୀତ କୌଣସି ନିର୍ବାଚିତ ପ୍ରତିନିଧିଙ୍କୁ ମାନହାନୀ ମୋକଦ୍ଦମାରେ ସର୍ବାଧିକ ଦୁଇବର୍ଷ କାରଦଣ୍ଡ ମିଳିନାହିଁ । ରାହୁଲ ଗାନ୍ଧୀ ସଂସଦରେ ଆଦାନୀ ପ୍ରସଙ୍ଗ ଉତଥାପନ କରିବାର ମାସକ ଭିତରେ ଏହି ଦଣ୍ଡାଦେଶ ଶୁଣାଯାଇଛି । ଏହାର ଅର୍ଥ ମୋଦି ସରକାର ଜାଣିଶୁଣି ରାହୁଲ ଗାନ୍ଧୀଙ୍କ ଉପରେ ରାଗ ସୁଝାଉଛନ୍ତି ବୋଲି କଂଗ୍ରେସ କହିଛି ।

ସୂଚନା ଥାଉ କି ଗତ ୨୦୧୯ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ମୋଦି ସରନେମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ମୋଦି ସରନେମ ଥିବା ସମସ୍ତେ ଚୋର କାହିଁକି ? ଏପରି କହି ସେ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଯାହା ବିରୋଧରେ ଜଣେ ବିଜେପି ନେତା ମାମଲା ରୁଜୁ କରିଥିଲେ । କୋର୍ଟ ରାୟ ଶୁଣାଇବା ସମୟରେ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details