ବାଲେଶ୍ବର:ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବାଲେଶ୍ବର ଗସ୍ତ ପୂର୍ବରୁ ସରକାରଙ୍କ କାର୍ଯ୍ୟ ନେଇ ପ୍ରଶ୍ନ ଉଠାଇଛି ଜିଲ୍ଲା କଂଗ୍ରେସ । କେତେବେଳେ ବିଜୁ ଯୁବ ବାହିନୀ ତ ପୁଣି କେତେବେଳେ ନୂଆ ଓଡିଶା ନାଁରେ ସରକାରୀ ଅର୍ଥ ଆତ୍ମସାତ କରାଯାଉଥିବା ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜିବ ଗିରି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିବା ସହିତ ବିଜେଡି ସରକାରଙ୍କୁ ପ୍ରଶ୍ନ କରିଛି ।
ସୂଚନା ଅନୁସାରେ, ଆଜି(ଶନିବାର) ବାଲେଶ୍ବର ଜିଲ୍ଲା ଗସ୍ତ କରିଛନ୍ତି ଭିକେ ପାଣ୍ଡିଆନ । ତାଙ୍କର ଗସ୍ତକୁ ତୀବ୍ର ବିରୋଧ କରିଛି ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ଅଭିଯୋଗ ଓ ଦାବି ଅନୁସାରେ, ଉତ୍ତର ଓଡିଶାର ବିକାଶ ଦିଗରେ ଆଜି ଯାଏଁ ରାଜ୍ୟ ସରକାର କୌଣସି ଧ୍ୟାନ ଦେଇ ନଥିବାବେଳେ ପୂର୍ବରୁ ଯୁବ ବାହିନୀ ଆଉ ଏବେ ନୂଆ ଓଡିଶା ନାଁରେ ପ୍ରହେଳିକା ଚଳାଇଛନ୍ତି । କେବଳ କେଉଁଠି ଲାଇଟ ଲଗାଇ ଦେଲେ କିମ୍ବା ସ୍କୁଲ କଲେଜରେ ରଙ୍ଗ ମାରିବା ବିକାଶ ନୁହେଁ ବୋଲି କହିଛି କଂଗ୍ରେସ ।
ବାସ୍ତବିକ ବିକାଶ ଦିଗରେ ରାଜ୍ୟ ସରକାର ଜମା ଚିନ୍ତିତ ନୁହଁନ୍ତି ବରଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଭୋଟ ହାତେଇବାର ପ୍ରୟାସ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଉତ୍ତର ଓଡ଼ିଶାର ବିକାଶ ଲାଗି ତତ୍ପରତା ପ୍ରକାଶ କରିବା ଜରୁରୀ । ସେଥିପାଇଁ ଜଳେଶ୍ବରରେ ସବଡିଭିଜନ, ବାଲେଶ୍ଵରକୁ ମହାନଗର ନିଗମ କରିବା ଭଳି ଦାବି କରିଛି କଂଗ୍ରେସ ।