ଓଡିଶା

odisha

ETV Bharat / state

ବାଲେଶ୍ଵରରେ ମୁଖ୍ୟ ଶାସନ ସଚିବ: ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା - ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବାଲେଶ୍ବର ଗସ୍ତ

ବାଲେଶ୍ଵରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ସଠିକ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ । ସାଙ୍ଗରେ ଥିଲେ ଜିଲ୍ଲାପାଳ ଓ ଏସପି । ଅଧିକ ପଢନ୍ତୁ

ବାଲେଶ୍ଵରରେ ମୁଖ୍ୟ ଶାସନ ସଚିବ
ବାଲେଶ୍ଵରରେ ମୁଖ୍ୟ ଶାସନ ସଚିବ

By

Published : Feb 12, 2023, 10:37 PM IST

ବାଲେଶ୍ଵରରେ ମୁଖ୍ୟ ଶାସନ ସଚିବ: ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ବାଲେଶ୍ବର: ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଜି(ରବିବାର) ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତ କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆସନ୍ତା ୬ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ପଢୁଥିବା ଛାତ୍ରଛାତ୍ରୀ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାକ୍ଟିକାଲ ଶ୍ରେଣୀରେ ଯୋଗ ଦେଉଛନ୍ତି । ଏଥିସହ ଉକ୍ତ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ଆସୋସିଏଟ ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମିଶାଇ ପ୍ରାୟ ଶହେ ଜଣ ନିଯୁକ୍ତ ଅଛନ୍ତି । ଏଠାରେ କର୍କଟ ରୋଗର ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଥିବା ମୁଖ୍ୟ ସଚିବ କହିଛନ୍ତି । ସେହିପରି ଜାତୀୟ ରାଜପଥରୁ ମେଡିକାଲକୁ ସଂଲଗ୍ନ ରାସ୍ତାର ମରାମତି କାର୍ଯ୍ୟକୁ ଖୁବଶୀଘ୍ର ଶେଷ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଚାନ୍ଦିପୁର ଗସ୍ତ କରି ମେରାଇନ ଡ୍ରାଇଭ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହି ସଡ଼କ ସହ ପ୍ରାୟ ୨ କିଲୋମିଟର ବ୍ୟାପି ସୁରକ୍ଷା ପ୍ରାଚୀର ମଧ୍ୟ ନିର୍ମାଣ କରାଯାଉଛି । ଯାହାଦ୍ବାରା ବାତ୍ୟା ସମୟରେ ୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ । ଏହି ନିର୍ମାଣ କାର୍ଯ୍ୟକୁ ବୁଢାବଳଙ୍ଗ ମୁହାଣ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ । ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଆଲୋକୀକରଣ, ପାର୍କିଂ, ଶୌଚାଳୟ ଏବଂ ରହିବା ବ୍ୟବସ୍ଥା କରାଯିବା ସହ ଦୋକାନୀମାନଙ୍କୁ ଥଇଥାନ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

ଏଥିସହ ମୁଖ୍ୟ ଶାସନ ସଚିବ ତାଳସେରୀ-ଉଦୟପୁର ବେଳାଭୂମି, ବିଚିତ୍ରପୁର ଜେଠି ଓ ଫରେଷ୍ଟ ରିସୋର୍ଟ, ନୁନିଆ ଯୋଡ଼ି ବ୍ରିଜ, ଶଙ୍ଖାରି ସ୍ଥିତ ମନ୍ମଥ-ମନୋଜ ସ୍ମୃତିସ୍ଥଳୀକୁ ଗସ୍ତ କରି ପରିଦର୍ଶନ କରିଛନ୍ତି । ସେଠାରେ ଜାରିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ଉପ ଜିଲ୍ଲାପାଳ କୁନାଲ ମୋତିଲାଲ ଚୌହାନ, ମୁଖ୍ୟ ଉନ୍ନୟନ ତଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଚାମୁନ୍ଦ୍ର କୁଜ୍ଜୁର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details